ମୁଁ ଭୋଟ ଦେବି କାହାକୁ

ମୁଁ ଭୋଟ ଦେବି କାହାକୁ
_________________
ମୁଁ ଭୋଟ ଦେବି କାହାକୁ, ଏହା ଏକ ଜଟିଳ ପ୍ରଶ୍ନ। ଏହି ପ୍ରଶ୍ନ ପଚାରୁଛନ୍ତି, କାମ ବାଲି, ଚାକର, ପିଅନ, ନିର୍ମାଣ ଶ୍ରମିକ, ଗାଁର ସରକାରୀ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କ ମାଁ ଓ ବାପା। ପଚାରୁଛନ୍ତି ନୁଆ ଯୁବା ଯୁବତୀ ଭୋଟର, ପଚାରୁଛନ୍ତି କୋଟି କୋଟି ସରକାରୀ ବସ ଯାତ୍ରୀ ଓ ତୃତୀୟ ଶ୍ରେଣୀର ରେଳ ଯାତ୍ରୀ। ପଚାରୁଛନ୍ତି, ବିହାରର ମୂଶାହାରି, ଛତିଶଗଡର ଗଣ୍ଡ, ଝାଡ଼ଖଣ୍ଡର ହୋ, ଓଡ଼ିଶାର କୁଟିଆ କନ୍ଧ। ଉତ୍ତର ଖୋଜିବ କେଉଁଠି। ଏମାନେ ଭାରତରେ ସମସ୍ତେ ମିଶି ୩୦% ରୁ ଅଧିକ।ଖବର କାଗଜର ଗର୍ଭ ଗୃହ କହୁଛି, ସର୍ବଜାତୀୟ ଗଣତନ୍ତ୍ର ଇଣ୍ଡେକ୍ସରେ ଭାରତ ତଳମୁହାଁ ହୋଇ ସାରିଛି। ପ୍ରଧାନ ମନ୍ତ୍ରୀ ଆଉ ବିଶ୍ୱ ଗୁରୁ ନକହି, ବିଶ୍ଵ ବନ୍ଧୁ କହିଲେଣି। ଧର୍ମ ଭିତ୍ତିକ ଉତ୍ପିଡନରେ ଭାରତ ଆଗୁଆ। ମାନବ ଅଧିକାର ଭାରତରେ ଭଙ୍ଗ ହେବା ମାତ୍ରା ପାଇଁ ବିଶ୍ଵ ଦରବାର କ୍ଷୁବ୍ଧ। ବିଦେଶୀଙ୍କ ପାଇଁ ଅସହିଶ୍ନୁ ହେବା ବଢ଼ି ଚାଲିଛି ବୋଲି ୱାଇଡେନ୍ କହିଛନ୍ତି। ଜି-୨୦ ରେ, ଧର୍ମ ଭିତ୍ତିକ ସ୍ଵାଧୀନତା କୁ ଗୁରୁତ୍ଵ ଦିଆଯାଇଛି। କେଜ୍ରିୱାଲଙ୍କ ବନ୍ଦୀ ହେବା, ଗଣତନ୍ତ୍ର ଓ ଦେଶର ଗଣତାନ୍ତ୍ରିକ ନେତାକୁ ବିଚଳିତ କରିଛି। ସମ୍ବାଦ ପତ୍ରର ସ୍ଵାଧୀନତା ବି ପ୍ରଶ୍ନର ଘେରକୁ ଆସିଛି। ଭାରତର ସ୍ବାସ୍ଥ୍ୟ ବିବୃତିକୁ 'ଲାନସେଟ' ପତ୍ରିକା ସନ୍ଦେହ କରୁଛି। ହାଭାର୍ଡ ରିପୋର୍ଟ ଅନୁଯାଇ ଭାରତର ଶିଶୁ ପୁଷ୍ଟିହୀନତା ୬.୭ ମିଲିୟନ। ବିଶ୍ଵ କ୍ଷୁଧା ଇଣ୍ଡେକ୍ସ ଅନୁଯାୟୀ ଭାରତ ୧୧୧ ରୁ ୧୨୫ କୁ ଖସିଛି। ବିଶ୍ଵ ଦାସତ୍ୱ ଇଣ୍ଡେକ୍ସ ରେ ଭାରତ ଜି-୨୦ ଦେଶମାନଙ୍କ ଭିତରେ ସବୁଠୁ ଶୀର୍ଷରେ ଅଛି। ଯୁବା ବେରୋଜଗାରରେ ଭାରତ ୨୩.୨୨ % ରେ, ଯାହାକି ପାକିସ୍ଥାନ ଠୁ ଅଧିକ। ଏସବୁ ତଥ୍ୟ WIRE/ୱାୟାର ମାଗାଜିନ୍ ରୁ ମିଳିଛି।
ଗଣତନ୍ତ୍ରରେ ନାଗରିକ ଭୋଟ ଦେଇ ନିଜ ନେତା ବାଛିଥାଏ। ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କୁ ଭାରତରେ ନିର୍ବାଚିତ ସଦସ୍ୟ ମାନେ ବାଛନ୍ତି। ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ପାଇଁ କେବଳ ନବୀନ ଓ ମୋଦି କିମ୍ବା ରାହୁଲ ଓ କେଜ୍ରିୱାଲ ବା ତେଜସ୍ଵୀ ଓ ସଚିନ ଯୋଗ୍ୟ କହିବା ଉଚିତ୍ ନୁହେଁ। ନେଟ ର ଏକ ଆକଳନରୁ ଓଡ଼ିଶାରେ ପ୍ରାୟ ୩.୨୯ କୋଟି ଭୋଟର ୨୦୨୪ ମସିହାରେ ଭୋଟ ଦେଇ ପାରିବେ। ଓଡ଼ିଶାରେ ୧୪୭ ଜଣ ବିଧାୟକ ନିର୍ବାଚିତ ହୋଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟା କିଛି ଜଣଙ୍କୁ ମନ୍ତ୍ରୀ କରି ପାରିବେ। 
ସମଗ୍ର ଭାରତରେ ଅନ୍ୟ ଏକ ନେଟର ଆକଳନରୁ ଜାଣିବାକୁ ମିଳୁଛି, ପ୍ରାୟ ୯୭ କୋଟି ଭୋଟର ଭୋଟ ଦେବେ ଓ ୫୪୩ ସାଙ୍ଗସଦକୁ ନିର୍ବାଚିତ କରିବେ। ଭାରତ ଓ ଓଡ଼ିଶାରେ ଏହି ୯୭ କୋଟି ଜନତା ଭିତରେ ଲୁଚିରହିଛନ୍ତି ଲକ୍ଷାଧିକ ସାଧୁ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ନାଗରିକ ମାନେ। ନେତା ଓ ନେତୃତ୍ୱର ଅଭାବ ନାହିଁ। ହୁଏତ କୁଟ ନୀତିଜ୍ଞ ମାନଙ୍କର ଅଭାବ ଅଛି।
ଆମେ ଯାହାକୁ ନିର୍ବାଚିତ କରିବା ସେ ନିର୍ବାଚିତ କରିବେ ତାଙ୍କ ଭିତରୁ ନେତା, ଯିଏକି ଓଡ଼ିଶା ଓ ଭାରତର ଆଗାମୀ ପାଞ୍ଚ ବର୍ଷର ଭାବି ପ୍ରଗତି ଓ ତନ୍ତ୍ରକୁ ରୂପ ଦେବେ।
ନିର୍ବାଚନ ପରେ ପ୍ରାୟ ୯୭ କୋଟି ଭୋଟ୍ଟର ଦେଖିବେ, ତାଙ୍କ ଭୋଟ ର ଫଳାଫଳ କେଉଁ ରୂପ ନେଲା। ଭୋଟ ଦେଲି କାହାକୁ, ନେତା ହେଲା କିଏ। ଭୋଟ ଦେଲାବେଳକୁ ଭୋଟରଙ୍କୁ ପ୍ରଭାବିତ କରିଥାଏ: ଦଳର ନାମ, ଦଳର ଚିହ୍ନ, ଦଳର ଦର୍ଶନ ଓ ପ୍ରାର୍ଥୀଙ୍କ ଚରିତ୍ର। 
ନିର୍ବାଚନ ପୂର୍ବେ ପ୍ରାର୍ଥୀଙ୍କୁ ଓ ପରେ ନିର୍ବାଚିତ ନେତାଙ୍କୁ ନିଜ ଜଣାଣି ଯଦି ଜଣାଇ ପାରୁନାହୁଁ, ତାଙ୍କୁ ଭୋଟ ଦେଇ ଲାଭ ନାହିଁ। ପ୍ରାର୍ଥୀ ଓ ନିର୍ବାଚିତ ନେତା ଭୋଟ୍ଟରଙ୍କୁ ଭୋଟ ପରେ ଭୁଲିଯିବା ଗ୍ରହଣୀୟ ଆଚରଣ ନୁହେଁ।
ରାଷ୍ଟ୍ର ପତି ଯଦିଓ ରାଷ୍ଟ୍ର ମୁଖ୍ୟ, ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଯଦିଓ ଦେଶର ଓ ପ୍ରଦେଶର ନେତୃତ୍ୱ ନିଅନ୍ତି, ତାଙ୍କ ପାଖରେ ଆମ ଜଣାଣ ଜଣାଇବାର ପ୍ରଥମ ବିକଳ୍ପ, ଆମ ଅଞ୍ଚଳର ପ୍ରାର୍ଥୀ ଓ ନିର୍ବାଚିତ ନେତା। 
ତେବେ ମୁଁ ଭୋଟ ଦେବି କାହାକୁ। ଦଳର ନାମ, ଦଳର ଚିହ୍ନ, ଦଳର ଦର୍ଶନ କୁ, ନା ପ୍ରାର୍ଥୀଙ୍କୁ। ପ୍ରାର୍ଥୀ ଓ ଦଳର ନାମ, ଦଳର ଚିହ୍ନ, ଦଳର ପ୍ରକୃତି ଓ ଦଳର ଦର୍ଶନ ଭିତରେ ଅନେକ ସମୟରେ ସମନ୍ୱୟ ରହେ ନାହିଁ। ତେବେ ମୋର ପ୍ରାଧାନ୍ୟତା କଣ। 
ନେତା, ଦଳ ବଦଳାଇବା, ଭାରତର ରାଜନୀତିରେ ଏବେ ଏକ ସାଧାରଣ ବିଷୟ। ଦକ୍ଷିଣ ପନ୍ଥି, ବାମ ଦଳକୁ ଓ ବାମ ପନ୍ଥି, ନ୍ଦକ୍ଷିଣ ପନ୍ଥିକୁ ବି ଡେଇଁବା, ସାଧାରଣ ବିଷୟ ହୋଇଛି। ଦଳର ଚିହ୍ନ, ଦଳ ର ପ୍ରକୃତି ଓ ଦଳର ଦର୍ଶନ, ପ୍ରାର୍ଥୀମାନଙ୍କୁ ଦଳରେ ବାନ୍ଧି ରଖି ପାରୁନାହିଁ। ନିର୍ବାଚନ ପରେ ସେମାନେ ଯଦି ଭୋଟରକୁ ଆଖି ଠାରୀ ଦିଅନ୍ତି ତେବେ ଆମେ କରିବା କ'ଣ?
ଆଜିର ଓଡ଼ିଶା ଓ ଭାରତ, ବିଜୟୀ ଦଳର ଚିହ୍ନ, ପ୍ରକୃତି ଓ ଦର୍ଶନ ତଥା ବିଜୟୀ ପ୍ରାର୍ଥୀଙ୍କୁ ନେଇ ପରିଚୟ ପାଉଛି। ଭାତ ହାଣ୍ଡି ଓ ଛାତର ଭବିଷ୍ୟତ ନିର୍ଧାରଣ କରୁଛି ପ୍ରାର୍ଥୀ ଚୟନ। କିନ୍ତୁ ଭାତ ହାଣ୍ଡି ଓ ଛାତର ଭବିଷ୍ୟତ ନାଁରେ ମୁଁ ମୋର ଭୋଟ ଦେଇ ଦେଶର ଗଣତାନ୍ତ୍ରିକ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉ ନାହଁ ତ?
ମୁଁ ଓ ମୋର ସହ ନାଗରିକ, ପୁଣି ମୋ ଦେଶ, ଅନ୍ୟ କାହାର ଚାପରେ ଯଦି ଅଛି, ତେବେ ମୋର ସ୍ଵାଧୀନତା ନାହିଁ, ଆଉ ମୁଁ ଗଣତନ୍ତ୍ର ଭୋଗ କରି ପାରୁ ନାହିଁ କୁହାଯିବ। କେବଳ ଭୋଟ ଦେବା ଗଣତନ୍ତ୍ର ନୁହେଁ। ଅନ୍ୟର କ୍ଷତି ନକରି, ସ୍ଵାଧୀନ ଭାବେ, ନିଜର ଖୁସିକୁ ଉପଭୋଗ କରିବା, ମୋ ପାଇଁ ପ୍ରକୃତ ସ୍ଵାଧୀନତା ଓ ଗଣତନ୍ତ୍ର। ଭାତ ହାଣ୍ଡି ଓ ଛାତର ଭବିଷ୍ୟତ ନାଁରେ, ସ୍କିମର ଆଳରେ, ମୋର ଭୋଟକୁ, ଅର୍ଥାତ ସ୍ଵାଧୀନତାକୁ କିଣା ଯାଉନାହିଁ ତ? ମୁଁ ଭୋଟ ଦେଉଛି ନା ମୁଁ ବିକ୍ରି ଯାଉଛି? କିଣିଲା ପରେ, କିଣା ପଦାର୍ଥ ବା ବିକ୍ରି ହୋଇଥିବା ମଣିଷ ଉପରେ କ୍ରେତାଙ୍କର ଏକଛତ୍ର ଅଧିକାର ରହେ। ଭାରତରେ ଭୋଟର ମାନଙ୍କର ଅବସ୍ଥା କିଣା ଅବସ୍ଥାକୁ ପହଞ୍ଚି ସାରିଲାଣି ବୋଲି ଚର୍ଚ୍ଚା।
ମଦ, ମାଂସ, ଟଙ୍କା କେବଳ ଭୋଟ କିଣିବା ମାଧ୍ୟମ ନୁହେଁ, ଚିହ୍ନ, ଦର୍ଶନ, ଦଳ, ନାରା, ପ୍ରତିଶୃତି ବି ଭୋଟ ଲୋଭେଇବାର ମାଧ୍ୟମ ହୋଇଛି। ଭୋଟ, କିଣା ବିକାର ଶିକାର ନହୋଇ, ଗଣତାନ୍ତ୍ରିକ ଉପାୟରେ ଭବିଷ୍ୟତ "ନିର୍ଦ୍ଧାରଣର ତନ୍ତ୍ର" ହେଉଛି ନିର୍ବାଚନ। 
ନିର୍ବାଚନ ଗଣତନ୍ତ୍ରର ଏକ ସର୍ବଶ୍ରେଷ୍ଠ ପର୍ବ। ନିର୍ବାଚନ ଆୟୋଗର ଅଧିନରେ କ୍ଷମତାର ବିନ୍ଦୁ ଗୁଡ଼ିକ, ପୋଲିସ, ପ୍ରଶାସନ ଇତ୍ୟାଦି, ସମ୍ପୂର୍ଣ ରୂପେ ପରିଚାଳିତ ହୁଅନ୍ତି। ବିଚାରାଳୟ, ନିର୍ବାଚନ ଆୟୋଗର ସ୍ଵାଧୀନତାକୁ ନିଶ୍ଚିତ କରନ୍ତି। କିନ୍ତୁ ସନ୍ଦେହ, "ନିର୍ବାଚନ ଆୟୋଗ" ଓ ଏହାର କର୍ମକର୍ତ୍ତା, ନିର୍ବାଚନ ପ୍ରକ୍ରିୟାର ଆରମ୍ଭରୁ ଶେଷ ଯାଏଁ, ଶାସକ ଦଳ ଦ୍ଵାରା ପରିଚାଳିତ ହେଉ ନାହିଁତ?
ଭାରତରେ ନିର୍ବାଚନ ଆୟୋଗ ସ୍ଵାଧୀନ ବୋଲି ଯଦି ନାଗରିକ ଅନୁଭବ କରି ପାରୁ ନାହିଁ, "ଝିଅ ପ୍ରେମ-ବିବାହ କରୁଛି ସତ କିନ୍ତୁ ପ୍ରେମର ଆଳରେ ସେ ପ୍ରତାରିତ ହେଉଛି"।
ଭାରତ, ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ପୂଜା କରେ। ସେମାନେ ପୂଜ୍ୟ। ଆଠଟି ଦସନ୍ଧି, ଅପର୍ଯ୍ୟାପ୍ତ ମାନବ ସମ୍ବଳ, ପ୍ରାକୃତିକ ସମ୍ପଦ ଓ ସମ୍ବିଧାନ, ବିକାଶ ପାଇଁ ଯଥେଷ୍ଟ ଉପାଦାନ ଅଟେ। ହେଲେ, ଭାତ ହାଣ୍ଡି ଓ ଛାତ, ସମସ୍ତଙ୍କ ପାଇଁ ସୁନିଶ୍ଚିତ ହୋଇ ପାରି ନାହିଁ। ପିଇବା ପାଣି, ବିଜୁଳି, ଶିକ୍ଷା ସ୍ବାସ୍ଥ୍ୟ, ସହରର ବସ୍ତି ଓ ଜରିବେଟୁଙ୍କୁ ଦେଖିଲେ, ବିକାଶର ବାସ୍ତବ ସ୍ଥିତି ସ୍ପଷ୍ଟ ହୋଇ ଯାଉଛି। ଗାଁ ମାନଙ୍କରେ ନାଳ ଓ ନଳ, ପଲିଥିନ ଓ ଖୋଲା ମେଲା ଦେହ, ପୋଖରୀ ତୋଠରେ କେବଳ ନୁହେଁ, ବସ୍ତି ଓ ବଜାରେ ମଧ୍ୟ ମୁକୁଳା ଦିଶୁଛି। ଆଦିବାସୀ ଓ ହରିଜନ କେବଳ ନୁହେଁ, ଭାତ ହାଣ୍ଡି ଓ ଛାତ ଅସୁରକ୍ଷିତ ପ୍ରତ୍ୟେକ ନାଗରିକ ବି ନୁହେଁ, ଆମ ସମସ୍ତଙ୍କର ଏକ ପ୍ରଶ୍ନ, ମୁଁ ଭୋଟ ଦେବି କାହାକୁ?


ଡୁଇଟ୍ ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ
କଳାହାଣ୍ଡି, ୯୪୩୭୧୦୪୩୦୩

edit

No comments:

Post a Comment

Contact Here

Name

Email *

Message *