ଗୁପ୍ତେଶ୍ୱରରେ ଗୁପ୍ତ ଇଶ୍ଵର ମାନଙ୍କ ସହିତ ଭେଟ
Tuesday, April 30, 2024
----------
ପଞ୍ଚାବନ ବର୍ଷରେ ଚାରି ରାଜ୍ୟରେ ବୁଲି ବୁଲି, ମଣିଷ ବିଶ୍ରାମ ନେବାକୁ ଚାହିଁଲା। ଭାରତର ଚାରି ମେଟ୍ରୋରେ ବୁଲି ବୁଲି ଆଧୁନିକତା ସହିତ ଯୁଝି ଆସିଲା। ଦୁଇଟି ଆଇ.ଆଇ.ଟି, ମୁମ୍ବାଇ ଓ ଖଡକପୁରରେ ଗ୍ରାମ୍ୟାଞ୍ଚ୍ଚଳ ବିକାଶ ଯୋଜନାର ପ୍ରଶିକ୍ଷଣ ନେଇ ବୈଷୟିକ ଶିକ୍ଷାର ଶୀର୍ଷକୁ ଦେଖିବାର ସୁଯୋଗ ପାଇଲା। ବିହାରର ମୁଷହର, ଝାଡ଼ଖଣ୍ଡର ମାଲଟ୍ଟୋ, ହୋ, ଛତିଶଗର୍ଡର ଗଣ୍ଡ ଓ ଓଡ଼ିଶାର କୁଟିଆ କନ୍ଧଙ୍କ ପାଇଁ କାମ କରି ମଣିଷର ଦାରିଦ୍ର୍ୟତା ଓ ମଣିଷର ମଣିଷ ସମ୍ମୁଖରେ ସାମ୍ବିଧାନିକ ମଜବୁରି ଜାଣି ପାରିଥିଲା। କିନ୍ତୁ କୋରାପୁଟର ଗୁପ୍ତେଶ୍ୱର ଉଇଗୁଡ଼ାକୁ ଆସି ଗୁପ୍ତ ଇଶ୍ଵର ମାନଙ୍କ ସହିତ ଭେଟ ହେଇ ଆତ୍ମ ତୃପ୍ତି ପାଇଲା। ସେମାନେ ବାସ୍ତବରେ ଜୀବିତ ଇଶ୍ଵର ମାନେ। ଆମପରି ଦେହ ଧାରୀ ମଣିଷ ମାନେ। ମାଟିର ଓ ଦେବତ୍ୱର ଇତିହାସ ଓ ପରମ୍ପରାକୁ ବଜାଇ ରଖିଛନ୍ତି। ନିଜ ନିଜ ଭିତରେ ପ୍ରଗାଢ଼ ପ୍ରେମ ଓ ଅଜଣା ଅଶୁଣାଙ୍କୁ ଆତିଥ୍ୟ। କିଏ ସେମାନଙ୍କୁ ପୂଜା କରୁ ନ କରୁ ମୁଁ କରୁଛି। କୋରାପୁଟ, ଶୁଣିବାକୁ ମିଳେ, ଧାନ ଚାଷର ଆଦ୍ୟ ସ୍ଥଳୀ, ସୁଗନ୍ଧ ଵାସୁମତି ଚାଉଳର ଅନ୍ତୁଡ଼ି ଶାଳ, ପୁଣି କ୍ଷୁଦ୍ର ଶସ୍ୟ, ବାଜରା, ଜଆର, କାଙ୍ଗ, କୁଷଲାର ଜନକ, ତାଉପରେ ଗୁପ୍ତ ଇଶ୍ଵର ମାନଙ୍କର ବାସ ସ୍ଥାନ ବୋଲି ତା ୧୯/୦୪/୨୦୨୪ ରେ ଯାଇ ଜାଣିଲି। ଉଇଗୁଡ଼ା ଗାଁଟି ହେଉଛି ବାଇପରୀଗୁଡ଼ା ପ୍ରଖଣ୍ଡର ରାସ୍ତା ନଥିବା, ଅଙ୍ଗନ୍ ୱାଡ଼ି ଗୃହଟେ ନଥିବା, ସ୍କୁଲ ଗୃହ ନଥିବା, ପୁଣି ପ୍ରସୂତି ନାରୀକୁ ପ୍ରାୟ ଦୁଇ କିଲୋ ମିଟର ପାହାଡ ଚଢି ଭାର ଓ ବୋଝେଇ କରି ନିଆ ଯାଉଥିବା ଓ ଅକ୍ଷର ସହିତ ଅପରିଚିତ ଥିବା ଆଦିମ ଜନଜାତିଙ୍କ ଗ୍ରାମ।
ବାଇପରୀଗୁଡ଼ାର ଗୁପ୍ତେଶ୍ୱର ଓ ହଲଦିକୁଣ୍ଡ ବର୍ତ୍ତମାନ ପୁରା ଓଡ଼ିଶା ଓ ଛତିଶଗଡ ପାଇଁ, ଗୁପ୍ତ ଇଶ୍ଵରଙ୍କ ଦର୍ଶନ ଓ ପର୍ଯ୍ୟଟନର ସ୍ଥାନ। ଜଇପୂର-ଗୁପ୍ଟେଶ୍ୱର ରାଜ ରାସ୍ତା ପରିଦର୍ଶକଙ୍କ ପାଇଁ କଳା କାର୍ପେଟ ପକାଇ ନିମନ୍ତ୍ରଣ କଲା ପରି ସୁଗମ୍ୟ ହୋଇଛି। ଚୌବନ୍ କିଲୋମିଟର କେମିତି ପାର ହୋଇ ଯାଉଛି ଜାଣି ହେଉନି। ଜଇପୂରକୁ ବିଶ୍ୱବାସି ପାଇଁ ଉଡାଜାହାଜ, ଓ ରେଳ ପଥ ସଂଯୁକ୍ତ ହୋଇଛି।
ବର୍ତ୍ତମାନ୍ ଏଠିକାର ଆଦିବାସୀ ଓ ଜନଜାତି ଚଇତ୍ରା ପାଳନରେ ଭାରି ବ୍ୟସ୍ତ। ସ୍ଥାନେ ସ୍ଥାନେ ରସି ଧରି ଯାନ ବାହନକୁ ଅଟକାଇ କିଛି ପର୍ବ ଖର୍ଚ୍ଚ ମାଗୁଛନ୍ତି। ଯାତ୍ରୀଙ୍କୁ କେଉଁଠି ଫୁଲ ଦେଇତ କେଉଁଠି ସ୍ମିତ ହସଟେ ଦେଇ ଶିଶୁ, କିଶୋରୀ, ମାଁ ଭଉଣୀ ଆଠଣି ଠୁ ଆରମ୍ଭ କରି ଯେତେ ଦେଇପାର, ନେଇ, ରାସ୍ତା ଛାଡ଼ି ଦେଉଛନ୍ତି। ମନେ ହେଉଛି, କୋରାପୁଟ ସାଜିଛି। ଗୁପ୍ତ ଇଶ୍ଵରମାନେ ନିଜେ ବାହାରି ଭେଟୁ ଛନ୍ତି ପରିଦର୍ଶକ ମାନଙ୍କୁ, ନିଜେ ଇଶ୍ଵର ମାନେ ସ୍ବାଗତ କରୁଛନ୍ତି। ଉଇଗୁଡ଼ା ପହଞ୍ଚିବା ପୂର୍ବରୁ ଚାରିଚକିଆ ଧଳା ହୁଣ୍ଡାଇ-ଇଅନ ଗାଡ଼ିକୁ ପ୍ରାୟ ଦୁଇ କିଲୋମିଟର ଦୂରରେ ରଖି ଦିଆ ଗଲା। ତାପରେ ଦୁର୍ଗମ ରାସ୍ତା ଆରମ୍ଭ ହେଲା। ଯେଉଁଠି ଗାଡିରୁ ଓହ୍ଲାଇଲୁ ସେଇଠୁ ପ୍ରାୟ ଷାଠିଏ ସତୁରୀ ଫୁଟ ତଳକୁ ଓହ୍ଲାଇବାକୁ ପଡ଼ିଲା। ସାଙ୍ଗରେ ଥିବା ଦୁଇ ମହିଳା ଏନ.ଜି.ଓ କର୍ମୀ, ବାର ବାର ତାଗିଦ୍ କରୁଥିଲେ 'ଦେଖନ୍ତୁ ପଡି ଯିବେ'। ଏକ୍ସନ କମ୍ପାନୀର ଗ୍ରିପ ଥିବା ବୁଟ ପିନ୍ଧିଥିଲି, ତାହା ହଠାତ୍ ତଳ ମୁହା ରାସ୍ତାରୁ ଟଳି ପଡ଼ିବାଠୁ ରକ୍ଷା କରୁଥିଲା। ମନେପଡୁଥିଲା ଗୟା ପାଖର ଟାଙ୍ଗରା ପାହାଡ଼ ଯାହାକୁ ପ୍ରସୂତି ମୃତ ସ୍ତ୍ରୀ ପାଇଁ କାଟି ଦେଇଥିଲା ଦଶରଥ ମାଂଝୀ। ଘାଟି ଓହ୍ଲାଇ ଓହ୍ଲାଇ ଭାବୁ ଥିଲି, ଆଧୁନିକତା କଣ ନିଷ୍ଠୁର, କେବଳ ଆଦିବାସି ଓ ହରିଜନଙ୍କ ପାଇଁ? ନା ନିଷ୍ଟୁର ପାହାଡ ମାନେ ଘେରି ଦେଇଛନ୍ତି ଗୁପ୍ତ ଇଶ୍ଵର ମାନଙ୍କୁ ବିପର୍ଜୟ ମୁଖରୁ ବଞ୍ଚାଇ ରଖିବା ପାଇଁ ।
ଦୂରରୁ ଦିଶୁଥିଲା ଗାଁଟି, ସାଥି ମାନେ କହିଲେ, ଏ ହେଉଛି ଉଇଗୁଡା, ଏଠି ଆଦିବାସୀ ରହନ୍ତି । ଗ୍ରୀଷ୍ମ ଉତ୍ତାପରେ ମାଟିର ତାତି, ସୂର୍ଯ୍ୟର କିରଣର ନିଷ୍ଠୁର ଛାଟି, ଟାଙ୍ଗରା ଜଙ୍ଗଲର ଝାଞ୍ଜି, ଲାଗୁଥିଲା ଗାଁ କହୁଥିଲା, ଆ, ତୋତେ ଦେବି ମୋଠି ଶାନ୍ତି। ତିନି-ଚାରିଟି ପିଲା ଖେଳୁ ଥାଆନ୍ତି ଏକ ଗଛ ଛାଇ ମୂଳେ। ସେ ପାଖରେ ଥିଲା ଏକ ବର ଗଛ, ତା ତଳେ ଶୋଇଥାନ୍ତି ଏକ ଜରା ଜୀର୍ଣ୍ଣ ବୃଦ୍ଧ। କହିଲେ 'ଆଶ ଏଠି ବସ, ଥକା ମାରିସାରି ଗାଁ କୁ ଯିବ'। ବରଗଛକୁ ଲାଗି ବହୁଛି ନାଳ। ପାଣି ଦେଖି ଲାଗିଲା, ମଣିଷ ପାଇବ ଏଠି ଜୀବନ। କିଛି ମିନିଟ ବସି, ପଶିଲୁ ଗାଁକୁ। ପ୍ରଥମ ଘରର ଦୁଆର ମୁହଁରେ ପସୁ ପସୁ ଜଣେ ଅଣ୍ଟା ନଇଯାଇଥିବା ବୃଦ୍ଧ ମାଁ ଧରାଇଦେଲେ ଗୋଟିଏ ଢ଼ାଳ ପାଣି। ଢାଳ ଛୁଉ ଛୁଉ ଲାଗିଲା ଏତେଥଣ୍ଡାଜେ, ମନେ ହେଉଥାଏ ପିଇଦିଏ ପରି। ବୁଢ଼ୀ ମାଁ କହିଲେ, 'ଧୋଇ ହୁଅ ବାବୁ, ତାପରେ ଦେବି ପାଣି, ପିଇବ'। ଧୋଇ ହୋଇ ତନଟି ଯାଏଁ ପିଇଲି ଥଣ୍ଡା ପାଣି। ଭାବିଲି ମଣିଷ ବଞ୍ଚି ଗଲା। ଘାଟିରୁ ଓହ୍ଲାଇଲା ବେଳେ ଲାଗୁଥିଲା ଆଜି ଅପନ୍ତରା ଗାଁରେ, ପ୍ରାଣଟି ଗଲା। ମନେ ପଡ଼ୁଥିଲା, ସକାଳୁ ଖାଇନ ଥିଲି, ଉଚ୍ଚ ରକ୍ତ ଚାପ ଔଷଧ। ଟୁରର କିଛିଦିନ ପୂର୍ବେ ମୋର ଉଚ୍ଚ ରକ୍ତ ଚାପ ୧୫୫/୯୯ ରହି ଥିଲା।
କେବଳ ଥଣ୍ଡା ପାଣି ନୁହେଁ, ସେହି ଘରେ ଥିଲା ଛାଇ ସହିତ ଆଦର। ବୁଢ଼ୀ ମାଁ ର ସ୍ବାମୀ, ହସି ହସି ବଢ଼ାଇ ଦେଲା ନିଜ ଗାମୁଛା କଡ, 'ଏ ନିଅ ପୋଛି ହୁଅ ' ଆଉ ଦେଖାଇ ଦେଲା କାଠରେ ତିଆରି ପୁରୁଣା ଏକ ଚୌକି, କହିଲା ବସ ।
ବିଶ୍ୱାସ ଲାଗୁନି, ତାପରେ ଆସିଗଲେ ଅନେକ ମାଁ ଭଉଣୀ, ଧରେଇ ଦେଲେ ମାଣ୍ଡିଆ ଭାତ ତିଆରି ପଖାଳ-ବାଶି। କହିଲେ, ପିଇଲେ ଦେହ ମନ ହେବ ଶାନ୍ତି। ତାପରେ ଆସିଲେ ଯୁବା ଭାଇ, ଧରାଇ ଚାଲିଲେ ପତ୍ରରେ ଧଳା ତୁରାଣି। ଧରି ପଚାରିଲୁ, ଏକ'ଣ ଭାଇ। କହିଲେ, ସଦ୍ୟ ସଲପ, ନିଶା ହେବନି, ପିଇଲେ ଲାଗିବ ଆସୁସ୍ତି।
ତାପରେ ସବୁ ମାଁ ଭଉଣୀ ଆରମ୍ଭ କଲେ ଗପ, ଚୈତ୍ରାର ମଜା ଲୁଟିବା ପାଇଁ। ଗପି ଗପି ଆମେ ତଥ୍ୟ ସଂଗ୍ରହ କଲୁଁ। ଆମ ଯିବା କରଣ ଥିଲା, ଗାଁର ବିଭିନ୍ନ ଚାଷ ଓ ଜଙ୍ଗଲ ଜାତୀୟ ଦ୍ରବ୍ୟର ପରିମାଣ, ବିକ୍ରି ଓ କ୍ରୟର ଦାମ୍ ଜାଣିବା।
ସେ ସବୁ ତଥ୍ୟରୁ ଜାଣି ହେଲା, ଉଇଗୁଡ଼ା ଓ ଢେପଗୁଡ଼ା ଏକ ଆଦିବାସୀ ଗାଁ। କେବେଠୁ ଲୋକ ଏଠି ବାସ କରନ୍ତି, କେହି ଜାଣନ୍ତି ନାହିଁ। ସେମାନେ ପରିଶ୍ରମୀ। ପ୍ରକୃତି ସେମାନଙ୍କୁ ବଞ୍ଚାଇ ରଖିଛି। ସେ ଗାଁରେ ସ୍କୁଲ, ଅଙ୍ଗନବାଡ଼ି ନାହିଁ। ସରକାରୀ ବୋରିଂ ଟିଏ ଅଛି ପାଣି ବାହାରୁ ନାହିଁ। ଏନ.ଜି.ଓ ଟେ ଦେଇ ଥିବା ବୋରିଂରୁ ପାଣି ପିଉଛନ୍ତି। କିଛି ବର୍ଷ ପୂର୍ବେ ନାଳ ପାଣି ଥିଲା ଭରସା। ଚାଷ ଜମି ନଥିଲା ସଙ୍ଗେ ସମାନ। ଡଙ୍ଗର ଓ ଜଙ୍ଗଲ ତାଙ୍କର ଚାଷ ଫସଲର ଭରସା। ସେ ଚାଷ କରନ୍ତି, ଧାନ, ମାଣ୍ଡିଆ, ଶୁଆଁ, କୋଳଥ, ବିରି। ପରିବା ଚାଷରେ କରନ୍ତି, କୁମୁଡ଼ା, ବାଇଗଣ, ଲାଉ, ବିଲାତି, ଶିମ୍ବ, ଝଟା ଇତ୍ୟାଦି। ବଣରୁ ଓ ଗାଁରୁ ପା'ଆନ୍ତି ବିଭିନ୍ନ ପ୍ରକାର ଫଳ, କୋଳି, ଯଥା, ଆମ୍ବ, ତେନ୍ତୁଳି, ସୀତା ଫଳ, ଅମୃତ, କେନ୍ଦୁ, ଟୋଲ-ମହୁଲ, ଖଜୁର, ଡିମ୍ବିରି, ତାଳ, ଇତ୍ୟାଦି। ବଣରୁ ପାଆନ୍ତି ବିଭିନ୍ନ ଛତୁ, କନ୍ଦା, ବାଉଁଶ ପୁଆ, ଶାଗ ଇତ୍ୟାଦି ବଞ୍ଚିବା ପାଇଁ।
ଖାଇବା ଅଭାବ ପ୍ରାୟ ନାହିଁ, କାରଣ ସରକାରବି ଦିଅନ୍ତି ଚାଉଳ ପ୍ରତ୍ୟେକ ପରିବାର ପାଇଁ। ଗାଁରେ କିନ୍ତୁ ଅଛି ଏଲେକ୍ଟ୍ରି ଲାଇନ। ହେଲେ, ଜଳ ସେଚନର ବ୍ୟବସ୍ଥା ନାହିଁ।
ମାଆ ମାନେ କହିଲେ, ସବୁଠୁ ବଡ ଅସୁବିଧା ହେଉଛି, ପ୍ରସୂତି ମାଁ କୁ ବୋହିବାକୁ ଆସି ପରୁନି ଆମ୍ବୁଲାନ୍ସ, ଅଟୋ ଇତ୍ୟାଦି। ମାଁ ମାନଙ୍କୁ ଭାର କରି ବୋହା ହେଉଛି ପ୍ରାୟ ଦେଢ଼ ଦୁଇ କିଲୋମିଟର।
ଏଠି ପ୍ରାୟ ସମସ୍ତେ ଅପାଠୁଆ। କିନ୍ତୁ ଘରେ ଘରେ ମୋବାଇଲ ଫୋନ୍ ଦେଖନ୍ତି। ମୋଦି, ରାହୁଲ, ନବିନଙ୍କୁ ଜାଣନ୍ତି। ଜଣେ ମଦ୍ୟପ ବାର ବାର କହୁଥିଲେ ' ଆପଣ ମାନେ ଖୁସି ତ '।
ଶେଷରେ ବହୁ ଆଚମ୍ବିତ ବିଷୟ, ବାହାରି ଯିବା ବେଳକୁ, ପୁଣିଥରେ ମାଁ ମାନେ ଧରାଇ ଦେଲେ ପାଣିଢାଳ ଓ କହିଲେ ଆସ ଖାଇ ଦେବ ଦୁଇ ମୁଠା। ମାଁ ମାନଙ୍କର, ପ୍ରାୟ କାହାର ନଥିଲା ସାୟା ଓ ବ୍ଲାଉଜ, ସେମାନେ ଏକ ବସ୍ତ୍ରା। ଆଧୁନିକ ଆଖି ପାଇଁ ସେମାନେ ନୁହନ୍ତି ଅର୍ଦ୍ଧ ନଗ୍ନା। ଦେହର ଜଙ୍ଘ, ଛାତି, ପିଠି ଓ ବକ୍ଷ ଢାଙ୍କି ହୋଇଥିଲା ସତ କିନ୍ତୁ ଲାଗୁଥିଲା ଏନୁହେଁ ଯଥେଷ୍ଟ।
ଖାଇବାକୁ ଦେଲେ ପତ୍ରର ବଡ଼ ଦନାରେ ଧଳା ଧଳା ଭାତ, ସାନ ସାନ ଦନାରେ ଗରମ ଗରମ ବିରି ଡାଲି, ସୁଖା ଲଙ୍କା ଓ ରସୁଣରେ ଛୁଙ୍କ ବାସନା, ଆଉ ଗୋଟିଏ ଦନାରେ ଆଳୁ କଷା, ସାଙ୍ଗରେ ଥିଲା ପିଆଜ ଓ ଲୁଣ।
ସଫା ସୂତର, ଲିପା ପୁଛା, ରଙ୍ଗ ଦିଆ ମାଟି ଛଣ ଘର। ଅନୁଭବ କରିବାକୁ ବାଧ୍ୟ କଲା, ହଜାର ହଜାର ବର୍ଷ ପୂର୍ବେ ଏମିତି ବିତାଇ ଥିବେ ଆମ ପୂର୍ବ ପୁରୁଷ। ଖାଇଥିବେ, ଏପରି ସଦ୍ୟ। ପାଇଥିବେ ଅନେକଙ୍କୁ ଭଲ। ବଞ୍ଚି ଥିବେ ମେଲେରିଆ ଓ ଘାତକ ରୋଗରୁ ନିଶ୍ଚୟ। ତେବେ ଆଜିଯାଏଁ କାହିଁକି ନାହିଁ ରାସ୍ତା, ଅଙ୍ଗନୱାଡ଼ି,ସ୍କୁଲ?
ଗୁପ୍ତେଶ୍ୱରରେ ଥିବେ, ପଥରର ଗୁପ୍ତ ଇଶ୍ଵର, ଏହା ଥିଲା ଅନୁମାନ। କିନ୍ତୁ ଗୁପ୍ତେଶ୍ୱରର ଉଇଗୁଡ଼ା ଓ ଢେପ ଗୁଡ଼ରେ ଅନେକ ଜୀବନ୍ତ ଇଶ୍ଵର। ସର୍ବ ଶେଷରେ ବାହାରିଲା ବେଳକୁ ଧରାଇ ଦେଲେ, ଗଣ୍ଠୁଳୀ କରି କିଛି ଚାଉଳ, କିଛି ଟମାଟୋ ଆଉ ମସଲା ପାଇଁ କିଛି ପିଆଜ, ଲଙ୍କା, ରସୁଣ। କହିଲେ ଏ ଆମ ଚଳଣି, ବନ୍ଧୁ ପାଇଁ ଚଇତ୍ରା ପର୍ବ ର ବେଭାର, ନିଅ ବାବୁ ତୁମ ପାଇଁ।
ଡୁଇଟ୍ ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ
କଳାହାଣ୍ଡି, ୯୪୩୭୧୦୪୩୦୩
edit
No comments:
Post a Comment