ଭବାନୀପାଟଣା, କଳାହାଣ୍ଡିର ଛତର ଯାତ୍ରା ବନାମ ବିଶ୍ଵର ବଳି ପ୍ରଥା
Wednesday, October 25, 2023
ଭବାନୀପାଟଣା, କଳାହାଣ୍ଡିର ଛତର ଯାତ୍ରା ବନାମ ବିଶ୍ଵର ବଳି ପ୍ରଥା
----------------
ଦେଖୁ ଦେଖୁ ଇଣ୍ଟରନେଟରେ ଦେଖିବାକୁ ମିଳିଲା, ଏକ ଆକଳନ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିଦିନ ୨00 ନିୟୁତ ପଶୁମାନଙ୍କୁ ବଧ କରାଯାଏ | ତାହା ହେଉଛି ବର୍ଷକୁ ୭୨ ବିଲିୟନ | କେବଳ ଯୁକ୍ତରାଷ୍ଟ୍ରରେ ପ୍ରତିଦିନ ପ୍ରାୟ ୨୫ ନିୟୁତ ପ୍ରାଣୀ ବଧ କରାଯାଏ। ସେଠାରେ ହାରାହାରି/ଅଭେରେଜ ଗୋଟିଏ ଗୋଟିଏ ବଧଘର ପ୍ରତି ଘଣ୍ଟାରେ ୧୧00 ଘୁଷୁରିଙ୍କୁ ମାରିଦିଏ |
କିନ୍ତୁ ବଳି ଓ ଖାଇବା ପାଇଁ ଜୀବ ହତ୍ୟା ଏଦୁଇ ଭିନ୍ନ। ଜାଣିବାକୁ ମିଳୁଛି, ସିଙ୍ଗାପୁରର ବାର୍ଷିକ 'ହାରି ରାୟା ହାଜି ପର୍ବ', ପଶୁ ବଳି ପାଇଁ ବିଶ୍ଵରେ ଅତି ପ୍ରସିଦ୍ଧ।
ବଳିକୁ ଦେଖିଲେ, ସାରା ପୃଥିବୀର ଆଦିବାସୀ ଜନଜାତି ଏକ ପ୍ରକାର ମନେହୁଏ। ଆଦିବାସୀ ଜନଜାତି ସବୁ ଜାଗାରେ ଆପଣା ଆପଣା ଇଷ୍ଟ ଦେବୀ ଓ ଦେବତା ପାଖରେ ବଳି ଦିଅନ୍ତି। ଆଫ୍ରିକା, ଆମେରିକା, ଏସିଆ, ଇଉରୋପ ଇତ୍ୟାଦିରେ, ବଳି ସର୍ବ ଶ୍ରେଷ୍ଠ ପବିତ୍ର ଓ ଗାମ୍ଭିର୍ଯ୍ୟ ପୂର୍ଣ୍ଣ ଉପାସନା। ମଣିଷ ବଳିବି, ଭାରତର ପତ୍ରପତ୍ରିକାରେ ସବୁ ବେଳେ ସବୁ ମାସରେ ଦେଖିବାକୁ ମିଳେ। ସଭ୍ୟ ସମାଜ ମଣିଷ ବଳିକୁ ତିରସ୍କାର ଓ ଆଇନ ଦ୍ୱାରା ଦଣ୍ଡନୀୟ କରିସାରିଛି।
ପୃଥିବୀର ପୁରୁଣା ଧର୍ମ ମାନଙ୍କ ମଧ୍ୟରେ, ହିନ୍ଦୁ ଧର୍ମ ଓ ଯିହୁଦୀ ଧର୍ମରେ, ବଳିର ପରମ୍ପରା ଆଦ୍ୟରୁ ରହିଆସିଛି। ଖ୍ରୀଷ୍ଟ ଧର୍ମ ୨୦୨୩ ବର୍ଷ ପୁରୁଣା। ଯୀଶୁଙ୍କ କୃଷୀୟ ମୃତ୍ୟୁ ପରେ, ବଳିର ଆବଶ୍ୟକତା ନାହିଁ ବୋଲି ଖ୍ରୀଷ୍ଟିଆନ ମାନେ ବିଶ୍ୱାସ କରନ୍ତି। ମୁସଲମାନ ଧର୍ମର ଅନେକ ସାହିତ୍ୟ, ବଳିର ଆବଶ୍ୟକତାକୁ ମାନ୍ୟତା ଦିଅନ୍ତି।
ଅବ୍ରହାମଙ୍କୁ ମାନୁଥିବା ପ୍ରତ୍ୟେକ ଧର୍ମ, ଅବ୍ରହାମ ନିଜ ପୁତ୍ରଙ୍କୁ ୟୌହୋବା-ଇଶ୍ଵରଙ୍କୁ ବଳି ଦେବା ଘଟଣାକୁ ଶ୍ରେଷ୍ଟ ବଳି କହନ୍ତି। ଏହା ୟୌହୋବା-ଇଶ୍ୱରଙ୍କ, ନିଜ ପୁତ୍ର ଯିଶୁଙ୍କୁ ବଳି ଦେବାର ଏକ ପୂର୍ବାଭାସ ବୋଲି ଖ୍ରୀଷ୍ଟିଆନ ମାନେ ମାନନ୍ତି। ଅବ୍ରହାମଙ୍କ ବଳିକୁ ସ୍ମରଣ କରି ମୁସଲମାନ ଭାଇ ମାନେ ସାରା ପୃଥିବୀରେ ପୁତ୍ରର ବଳି ଶ୍ରେଷ୍ଠ ବଳି ଭାବି ଶ୍ରେଷ୍ଟ ତମ ବଳି ବାଛି ବାଛି ବଳି ଉତ୍ସର୍ଗ କରନ୍ତି ଓ ଧନ, ଦ୍ରବ୍ୟ ବିତରଣ କରନ୍ତି।
ଅନ୍ୟ ପକ୍ଷରେ ପୃଥିବୀରେ ଯ୍ୟିନ ଧର୍ମାବଲମ୍ବୀ, 'ଜୀବ ହତ୍ୟା ମହା ପାପ' ବୋଲି ଧାର୍ଯ୍ୟ କରନ୍ତି। କିଟାଣୁଟିଏ ବି ନମରୁ ଭାବି ମୁହଁରେ ମାସ୍କ ଦିଅନ୍ତି।
ହିନ୍ଦୁ ଧର୍ମର ଅନେକେ, ଜୀବ ବଳିକୁ ଅନୁଚିତ୍ ଓ ପାପ ବୋଲି ପ୍ରତ୍ୟାଖ୍ୟାନ କରନ୍ତି। ବୌଦ୍ଧ ଧର୍ମରେ ମଧ୍ୟ ଜୀବ ବଳି ଗ୍ରହଣୀୟ ନୁହେଁ।
ବିଭିନ୍ନ ସମୁଦାୟରେ ବଳି ଉପରେ ବିଭିନ୍ନ ପ୍ରକାର ବିଶ୍ୱାସ ଓ ମତ ରହିଛି।
ଭବାନୀପାଟଣାର ଛତର କିନ୍ତୁ, ବିଶ୍ଵରେ ବଳିର ଏକ ପ୍ରସିଦ୍ଧ ପର୍ବର ମାନ୍ୟତା ପାଉଛି। ଦେଶ ବିଦେଶର ସମ୍ବାଦ ପତ୍ରରେ, ଛତର ଯାତ୍ରାକୁ ଏକ ବିଶେଷ ସମ୍ବାଦ ଭାବରେ ସ୍ଥାନ ଦିଆଯାଇଛି। ଛତର, ଭବାନୀପାଟଣା, କଳାହାଣ୍ଡିର ବିଶେଷ ପର୍ବ। ଆଶ୍ୱିନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ଦିନରେ ଏହି ଅୟୀତିହାସିକ ପର୍ବ ପାଳନ କରାଯାଏ। ମୂଳତଃ, ଏହା କଳାହାଣ୍ଡିର ନାଗ ବଂଶ ରାଜା ଓ କନ୍ଧ ମାନଙ୍କ ସମନ୍ୱିତ ଧାର୍ମିକ ବିଶ୍ଵାସର ଶ୍ରେଷ୍ଠ ପର୍ବ ଓ ପ୍ରତୀକ ମନେହୁଏ। ଆଜି ଜାତି ଧର୍ମ ନିର୍ବିଶେଷରେ, ମହା ସମାରୋହରେ ଏହି ପର୍ବକୁ ପାଳନ କରାଯାଏ। ରଜନ୍ୟିତିକ ସଚେତନ ବ୍ୟକ୍ତି ମାନେ ଓ ପ୍ରଶାସନ, କଳାହାଣ୍ଡିର ସାଧାରଣ ଜନତାଙ୍କ ହୃଦୟରେ ସ୍ଥାନ ପାଇବା ପାଇଁ, ବଳି ପ୍ରଥା ଉଚ୍ଛେଦ ସ୍ୱରକୁ ଆଖି ଠାରି, ଏହି ଯାତ୍ରାରେ ନିଜକୁ ବହୁ ଆଡ଼ମ୍ବରରେ ପ୍ରସ୍ତୁତ କରି, ପାଳନ କରି ଭବ୍ୟ ଯାତ୍ରାରେ ଭାଗ ନିଅନ୍ତି। ଦିନକୁ ଦିନ, ଏହା ଆହୁରି ରଙ୍ଗୀନ ଓ ଚିତ୍ତାକର୍ଶକ ହେବାରେ ଲାଗିଛି। ବହୁ ବାଦ୍ୟରେ ମୁଖରିତ ହେଉଛି, ବହୁ ସ୍ଲୋଗାନରେ ଆକର୍ଷଣୀୟ ହେଉଛି, ବହୁ ନାଚ ଗୀତରେ ହୃଦୟ ସ୍ପନ୍ଦିତ ହେଉଛି। ଏହି ଯାତ୍ରା କଳାହାଣ୍ଡିଆଙ୍କୁ କିଛିକ୍ଷଣ ପାଇଁ ଆତ୍ମ ଗୌରବରେ ମନ୍ତ୍ର ମୁଗ୍ଧ କରିଦେଉଛି। ଏହି ଯାତ୍ରା ଆଶା ସାଗରର ପାଖ, ଜେନା ଖାଲ ତୁଠରୁ କଳାହାଣ୍ଡି ରାଜାଙ୍କର ରାଜପ୍ରାସାଦ ପରିସର ଭୂକ୍ତ ଶ୍ରୀ ଶ୍ରୀ ମାଣିକେଶ୍ଵରୀ ମନ୍ଦିର ଯାଏଁ ଆସିଥାଏ। ମାତା ମାଣିକେଶ୍ଵରୀଙ୍କ ଛତର ବିଶ୍ବାସୀ ମାନେ ବର୍ଷ ସାରା ନିଜର ପୂଜାର ପ୍ରସ୍ତୁତି କରିଥାନ୍ତି। ଅନେକେ ଏହି ଦିନର ଗାମ୍ଭିର୍ଯ୍ୟ ଓ ରୀତି ନୀତିକୁ ପୁରଣ କରିବା ପାଇଁ ବିଦେଶରେ ଥିଲେବି, ଭବାନିପଟଣାକୁ ଫେରି ଆସନ୍ତି ଓ ନିଜ ନିଜ ବଳୀ, ଛେଳି, ପାରା, କୁକୁଡ଼ା, ମେଣ୍ଢା, ମାଗୁର ମାଛ ଇତ୍ୟାଦି ପ୍ରସ୍ତୁତ କରି ରଖନ୍ତି। ଗରିବ ଓ ଶାକାହାରୀ ମାନେ ନଡ଼ିଆ, କଦଳୀ, ଖଜା, ଲଡୁ, ଚାଉଳ, କଖାରୁ, ଲାଉ, ବିଭିନ୍ନ ପ୍ରକାରର ଫୁଲ, ଦୀପ, ଧୂପ ଇତ୍ୟାଦି ପ୍ରସ୍ତୁତ କରି ରଖନ୍ତି। ଛତର ଯାତ୍ରା ପୂର୍ବ ରାତିରେ ସହର ସାରା ନାଚ, ଗୀତ ବାଦ୍ୟ, ନାଟକ ଇତ୍ୟାଦିରେ ଲୋକେ ମାତି ରହନ୍ତି। ଅନେକେ, ଦିନେ ଦୁଇଦିନ କିମ୍ବା ସପ୍ତାହେ ପୂର୍ବରୁ ଆସି, ନିଜ ନିଜ ଘରେ ବା ସମ୍ପର୍କୀୟଙ୍କ ଘରେ ରହି, ରାତିସାରା ବଳୀ ଓ ବଳୀ ପାଇଁ ସାମଗ୍ରୀ ଓ ବିଶେଷକରି ବଳୀ ପାଇଁ ଟାଙ୍ଗୀ ଓ ଜୀବ ଜନ୍ତୁଙ୍କୁ ପ୍ରସ୍ତୁତ କରନ୍ତି। ସପ୍ତାହେ ଓ ମାଶକ ପୁର୍ବରୁ ସହରରେ ଛେଳି, ମେଣ୍ଢା କୁକୁଡା, ପାରା ବିକ୍ରି କରିବା, ସ୍ଥାନେ ସ୍ଥାନେ ଦେଖାଯାଏ। ଅନେକେ ନିଜ ନିଜ ଶସ୍ୟ-ବଳୀ ମଧ୍ୟ ପ୍ରସ୍ତୁତ କରନ୍ତି। ସକାଳୁ ମାତା ମାଣିକେଶ୍ଵରୀଙ୍କ ଛତର ଦର୍ଶନ ପାଇଁ, ଯାତ୍ରା ଦେଖିବା ପାଇଁ ଓ ବଳି ଓ ଭେଟି ଚଢ଼ାଇବା ପାଇଁ, ସକାଳ ନପାଉଣୁ ରାସ୍ତା କଡରେ ସ୍ଥାନଟିଏ ପାଇଁ ଘରୁ ବାହାରି ଯାଆନ୍ତି। ଅନେକ ସମୟରେ, ବିଳମ୍ବ କଲେ, ଠିଆ ହେବାକୁ ଜାଗା ମିଳେନାହିଁ। ଭିଡ଼ ଭିତରକୁ ସାହସିକ ଓ ବଳ ଥିବା ଯୁବା ଓ ଯୁବତୀ ଗଲେ, ଛତର ଯାତ୍ରାରେ ସାମିଲ ହୋଇ ହୁଏ। ଛତର ଯାତ୍ରା ଆରମ୍ଭ ହେବା ମାତ୍ରେ ରାସ୍ତାର ଦୁଇ କଡ଼ରେ ବଳିଦିଆ ଆରମ୍ଭ ହୋଇ ଯାଏ। ଆଗରୁ, ଛତର ମନ୍ଦିରରେ ପହଞ୍ଚିଲେ ପୋଢ଼ ବଳି ଦିଆ ଯାଇଥିଲା। ଆଜିକାଲି ପୋଢ଼ ବଳି ଦିଆ ସ୍ତଗିତ କରା ଯାଇଛି। ଅନେକ ଯୁବା ଯୁବତୀ ଆଦିବାସୀ ବେଶ ଭୂଷା ଧାରଣ କରି ବାହାରିବା, ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ନେବା ଓ ବଜାଇବା ଯାତ୍ରାକୁ ମନୋଜ୍ଞ କରୁଛି।
ଛତର ବର୍ଷକୁ ଥରେ ଆସେ। ପ୍ରତ୍ୟେକ ବର୍ଷ ଛତର, ମନର ପରିବର୍ତ୍ତନ ଓ ସମର୍ପଣର ଭାବ ଆଣିବାରେ ସାହାଯ୍ୟ କରେ। ଏହା ପରସ୍ପର ସହିତ ମିଳନର ଏକ ସମୟ। ଭବାନୀପାଟଣାର ଅନ୍ୟ ଧର୍ମାବଲମ୍ବୀବି, ଏହାର ଗୁରୁତ୍ୱକୁ ବୁଝନ୍ତି। ପରସ୍ପରକୁ ସମସ୍ତେ ଶୁଭେଚ୍ଛା ଜଣାନ୍ତି।
ଘରେ ଘରେ ବଳି ମାଂସ ଓ ଅନ୍ୟାନ୍ୟ ବ୍ୟଞ୍ଜନ ନିଜ ରୁଚି ଅନୁସାରେ ପ୍ରସ୍ତୁତ କରି, ଏକାଠି ଖାଆନ୍ତି। ପାରିବାରିକ ଓ ସାମାଜିକ ସୌହାର୍ଦ୍ୟ ବଢିଲା ବୋଲି ଅନୁଭବ କରନ୍ତି।
ବଳିର ସାଧାରଣ ଅର୍ଥ, ତ୍ୟାଗ ବା ଛାଡ଼ି ଦେବା। ବଳି ନିଜର ଇଚ୍ଛାକୁ ଇଶ୍ଵରଙ୍କ ପାଖରେ ସମର୍ପଣ କରିବା। ବଳି ଏକ ବିଶେଷ୍ୟ। ଉଇକି ପିଡ଼ିଆ ଲେଖେ, " ଦୈତରାଜ ବିରୋଚନ ପୁତ୍ର ଓ ପ୍ରହ୍ଲାଦ ପୌତ୍ର, ନୈବେଦ୍ୟ; ଭୋଗ; ପୂଜାର ଉପକରଣ ବା ସାମଗ୍ରୀ, ଛେଦନଯୋଗ୍ୟ ପୂଜାପଶୁ, କର; ରାଜକର; ରାଜସ୍ଵ, ଖାଦ୍ୟାଂଶ; ଅଇଠା, ଭୂତ ଯଜ୍ଞ; ବୈଶ୍ଵଦେବ, ବୈଶ୍ଵଦେବରେ ଦିଆଯିବା ପିଣ୍ତମାନ; ବୈଶ୍ଵଦେବ, ଚଣ୍ତ; ପୂଜା ପରେ ପୂଜା ସାମଗ୍ରୀରୁ କଢାଯିବା ଅଂଶ, ପଶୁ ଯଜ୍ଞ; ଯଜ୍ଞରେ ପଶୁ ବଧ, ଚାମର ଦଣ୍ତ; ଚଅଁର ବେଣ୍ଟ, ଜରା ଜନିତ ଶ୍ଳଥ ଚର୍ମ; ବିଲୋଳ ଚର୍ମ; ନୀଧ୍ର; ଘରଚାଳର ଓଳି, ରାଜକର; ରାଜସ୍ଵ, ରେଖା, ଗନ୍ଧକ, ଶ୍ରେଣୀ; ପଂକ୍ତି, ଏକପ୍ରକାର ବାଦ୍ୟ, ଉପହାର; ଭେଟୀ, ଭକ୍ଷ୍ୟ ବସ୍ତୁ; ଅନ୍ନ ଆହାର, ବିଶିଷ୍ଟ ଦେବତାଙ୍କ ଉଦ୍ଦେଶ୍ୟରେ ପୃଥକିକୃତ ଯଜ୍ଞାଦିରେ ନିବେଦିତ ବସ୍ତୁର ଅଂଶ। ଦ୍ରଷ୍ଟବ୍ୟ —ଆଶ୍ୱିନ ପର୍ବ ସମୟରେ ସମଲେଇ ଠାକୁରାଣୀ ଯେଉଁ ଡ଼ାଙ୍ଗୁଆ (ସେବକ) ଠାରେ ଉଭା ହୁଅନ୍ତି, ସେହି ବ୍ୟକ୍ତି ଠାକୁରାଣୀଙ୍କ ନିକଟରେ ବଳି ଦିଆଯାଇ ଥିବା ପଶୁର ଗଣ୍ଡିକୁ ହାତରେ ଧରି ତାହାର ତୋଟିରୁ ସ୍ରବୁ ଥିବା ରକ୍ତକୁ ଶୋଷି କରି ପିଇ ସେ ଗଣ୍ଡିକୁ ତଳେ ପକାଇ ଦିଏ ସୋନପୁର ଅଞ୍ଚଳରେ ଯେଉଁ ଜୀବକୁ ବଳି ଦିଆ ଯାଏ ତାହାର ନାମ ପଶୁ ଓ ଯାହାଠାରେ ଠାକୁରାଣୀ ଊଭା ହୁଅନ୍ତି ତାହାକୁ ବଳି କହନ୍ତି"।
ବଳି ଦାନ ଏକ ଧାର୍ମିକ ବ୍ୟବସ୍ଥା, ଏହା ଏକ ଆତ୍ମାର ବ୍ୟବସ୍ଥା। ବଳି ଦାନ ପରେ ମନୁଷ୍ୟର ଆତ୍ମା ସନ୍ତୋଷ ଲାଭ କରେ। ବଳିକୁ କିଛି ସମ୍ପ୍ରଦାୟରେ ତିନି ଭାଗରେ ବିଭକ୍ତ କରନ୍ତି, ଏକ ଭାଗ ପୂଜକଙ୍କର, ଏକ ଭାଗ ଗରିବ ଅବହେଳିତଙ୍କର ଓ ବାକି, ବଳି ଉତ୍ସର୍ଗ କାରିଙ୍କ। କୁରାନ (୪: ୧୫୨) କୁହେ, ଯଦି ତୁମେ ତୁମର ସାଥୀ ମାନବଙ୍କ ପ୍ରତି ଦୟାଳୁ, ଯାହା ମୋର ସୃଷ୍ଟି, ତୁମେ ସେମାନଙ୍କ ପ୍ରତି ଦୟାଳୁ ହେଲେ ମୋର ଅନୁଗ୍ରହ ଅର୍ଜନ କରିବ | ଭବିଷ୍ୟଦ୍ବକ୍ତା ମହମ୍ମଦ କହିଥିଲେ: ଜଣେ ସବୁଠୁ ଏକ ଛୋଟ ଦାନ ଟିଏ କରି ପାରିବ, ତାହା ହେଉଛି ଅନ୍ୟମାନଙ୍କୁ ଏକ ଛୋଟ ହସ ଏବଂ ପ୍ରଶଂସା ଟିଏ ଦେବା|
ବାଇବଲ ପାଞ୍ଚ ପ୍ରକାରର ବଳି ବାବଦରେ ଉଲ୍ଲେଖ କରେ। ଇସ୍ରାଏଲିୟ ମାନେ ତାହା ଏବେବି ପାଳନ କରନ୍ତି ଏବଂ ତାହା ହେଉଛି ହୋମବଳି, ଶସ୍ୟ ନୟୀବେଦ୍ୟ/ବଳି, ଶାନ୍ତି ନୟୀବେଦ୍ୟ/ବଳି, ପାପ ନୟୀବେଦ୍ୟ/ବଳି ଏବଂ ଅପରାଧ ବଳି | ପ୍ରତ୍ୟେକ ବଳିଦାନ ଏକ ଉଦ୍ଦେଶ୍ୟ ଏବଂ କାର୍ଯ୍ୟ ପରିବେଷଣ କରିବା ପାଇଁ ଉର୍ଦ୍ଦିଷ୍ଟ |
ଅନ୍ୟକୁ କଷ୍ଟ ଦେଇ ବା ଅନ୍ୟର କ୍ଷତି କରି ବା ମନରେ କୁଚିନ୍ତା ଆଣି, ପାପ ଅର୍ଜନ ହୁଏ। ଏହା ସାଧାରଣତଃ ଆମେ ସବୁ ଭାରତୀୟ ବିଶ୍ୱାସ କରୁ। ବୋଧ ହୁଏ, ବଳି ପାପରୁ ମୁକ୍ତି ପାଇବା ପାଇଁ ଏକ ବିକଳ୍ପ। ବଳି ଯଦି ପାପର ବୋଧର ବିକଳ୍ପ, ସରକାରୀ ସ୍ଥରରେ ନିୟମ ପ୍ରଣୟନ କରି, ସରକାରୀ ବଳି, ରାଜ କୋଷରୁ ଦେଶ ବାସୀ ବା ପୃଥିବୀ ବାସୀଙ୍କ ପାଇଁ ମହା ବଳି ଉତ୍ସର୍ଗ କରିବା ବ୍ୟବସ୍ଥା କେବାଠୁ ହୋଇ ସାରନ୍ତା। ଏହାକୁ ବ୍ୟିଜ୍ଞାନିକ ମାନସିକତା ସ୍ଵୀକୃତି ଦେଉନାହିଁ ତେଣୁ ଏପରି ବ୍ୟବସ୍ଥା ସରକାରୀ ଉପାୟରେ କୌଣସି ଦେଶରେ କରାଯାଇ ନାହିଁ। ବଳି କିନ୍ତୁ ଏକ ଧାର୍ମିକ ଓ ଆତ୍ମିକ, ବ୍ୟକ୍ତି ଗତ ଓ ସାମାଜିକ ଅଣ ସରକାରୀ ରୀତି। ଏହାକୁ ପାଳନ କରିବା ବ୍ୟକ୍ତିଗତ ଓ ସାମାଜିକ ବିଷୟ।
ବଳିର ଆତ୍ମିକ ତତ୍ତ୍ଵ ଓ ବ୍ୟବସ୍ଥା ମାନବ ସମାଜର ମନରେ ବସିଲେ ଓ ପାଳନ କଲେ, ପୃଥିବୀରୁ ଭୋକ, ଉପାଶ ଦୂର ହୋଇ ଯା'ନ୍ତା। ଖାଦ୍ୟ, ପାଣି, ବାସ ଗୃହର ଅଭାବ ରହନ୍ତା ନାହିଁ। ଯେଉଁ ସମାଜ ମାନଙ୍କରେ ଏତେ ବଳି, ସେହି ସମାଜ ମାନଙ୍କରେ ଏତେ ଦାରିଦ୍ର୍ୟତା! ଅଶହିଷ୍ଣୁତା! ଅନେକ ଆଇନ ଗତ ମକଦ୍ଦମା! ଅନ୍ତର ଦେଶୀୟ ବିବାଦ ଓ ଯୁଦ୍ଧ! ରହନ୍ତା ନାହିଁ।
ବଳି ଓ ଛତର ଯାତ୍ରା କେବଳ ଜେନା ଖାଲରୁ ମାଣିକେଶ୍ବରୀ ମନ୍ଦିର ବା ହଜ ବା ଜିରୁସାଲେମ ଯାଏଁ ନ ହୋଇ, ପ୍ରତ୍ୟେକ ବଳିଦାନର ମାନସିକ ଯାତ୍ରା, ହୃଦୟରୁ ବାହାରି ଆମ ଧମନୀ ମାନଙ୍କରେ ଆତ୍ମିକ ଓ ବ୍ୟବହାରିକ ଭାବରେ ଯାତ୍ରା କଲେ, ବଳି ଓ ଛତର ପରି ମହୋତ୍ସବ ଆଉ କେତେ ଅର୍ଥ ପୂର୍ଣ୍ଣ ନହୁଅନ୍ତା।
ଡୁଇଟି ଡେଭିଡ ଫିଲିପ୍
ଆଇନ ଜୀବୀ ଓ ସମାଜ ସେବୀ
କଳାହାଣ୍ଡି, ୭୬୬୦୦୧
୯୪୩୭୧୦୪୩୦୩
୨୨ ଅକ୍ଟୋବର ୨୦୨୩
www.pensofdavid.com
edit
No comments:
Post a Comment