ରାଜ୍ୟ ସୀମା ରେଖା ବାହାରେବି ଏକ ସ୍ଵର, "ମୁଁ ବି ଗୋଟିଏ ଓଡ଼ିଆ ଛୁଆ"
Friday, April 7, 2023
ରାଜ୍ୟ ସୀମା ରେଖା ବାହାରେବି ଏକ ସ୍ଵର, "ମୁଁ ବି ଗୋଟିଏ ଓଡ଼ିଆ ଛୁଆ"
Labels:
#ଓଡ଼ିଆ ଛୁଆ"
--------------
ଦଶହରା ପର୍ବର ଭିଡ଼ ଭିତରେ, ଛଉ ନୃତ୍ୟ ସହିତ, ଓଡ଼ିଆ ଗୀତ। ଓଡ଼ିଆ ଗୀତରେ ଭାବ ପ୍ରବଣ ଯୁବା ଓ ଯୁବତୀ, ପିତା ଓ ମାତା, ସମ୍ବଲପୁରୀ ସାର୍ଟ, ଚୁଡ଼ିଦାର ଓ ଶାଢ଼ୀ ସହିତ ସମ୍ବଲପୁରୀ ଗୀତ ଓ ବାଦ୍ୟ, ପାଲା କୀର୍ତ୍ତନରେ, ଝୁମିଯିବା ଭିଡ଼କୁ ଓ ଠିଆ ହୋଇଥିବା ମାଟିକୁ କାହିଁକି ନ କହିବା, ଓଡ଼ିଆ ଅଞ୍ଚଳ, ଓରଫ ଝାଡଖଣ୍ଡ?
"ମୋର ଘର ଚାଇବସା, କିନ୍ତୁ ମୁଁ ପୁଅ ପାଇଁ ବହୁ, ଆଉ ଝିଅ ପାଇ ଜ୍ବାଇଁ, ଓଡ଼ିଶାରେ କରିଛି। ଆମର ଚାଲି ଚଲଣି ଦିଆ ନିଆ ସବୁ ଓଡ଼ିଆ", ଖୁସିରେ ଓ ଗର୍ବରେ କହିଲେ ଜଣେ ଅର୍ଦ୍ଧ ବୟସ୍କା ମହିଳା। ଚାଇବସା, ଝାଡଖଣ୍ଡରୁ ପ୍ରଥମ ଥର ରେଳ ଗାଡ଼ି ପାଇଁ ଚକ୍ରଧର ପୁର ରେଳ ଷ୍ଟେସନରେ ରେଳଗାଡ଼ି ଜଗି ଥିବା ସମୟରେ ଏକ ଆଳାପ।
"ମୁଁ ଏହି ବସ୍ତିର ୱାର୍ଡ ପ୍ରଭାରି, ବିଗତ ପନ୍ଦର ବର୍ଷ ହେଲା ମୁଁ ନିର୍ବାଚିତ ହୋଇ ଆସୁଛି, ଏହି ବସ୍ତିଟି ଯାକ ଓଡ଼ିଆ। ଆମର ନିଜସ୍ୱ ଜାଗା ନାହିଁ, ସରକାରୀ ଜାଗାରେ ଅନାଦି କାଳରୁ ରହି ଆସିଛୁ। ଆମର ପୂଜା, ପ୍ରଥା, ଜାନୀ ଯାତ୍ରା, ଖିଆ ପିଆ, ସବୁ ଓଡ଼ିଆ"। "ଏଠି ଓଡ଼ିଆ ନହେଲେ ୱାର୍ଡ ସଦସ୍ୟରେ ଜିତି ପାରିବ ନାହିଁ", କହିଲା ଚଇବସା ବସଷ୍ଟାଣ୍ଡ ପାଖର 'ଗାଡିଖାନା ' ବସ୍ତି ନିବାସୀ, ୱାର୍ଡ ପ୍ରଭାରି, ଯିଏକି ମୋର ନୂଆ ଇପ୍ସିତ ଅଣ ଆନୁଷ୍ଠାନିକ ଶିକ୍ଷା ପ୍ରକଳ୍ପ ପାଇଁ ମୁଖ୍ୟ ସୂଚନା ଦାତ୍ରୀ, ଗଙ୍ଗା।
"ମୁଁ ଆମ ପଞ୍ଚାୟତର ସରପଞ୍ଚ। ମୋର ବାପା ମୁଖିଆ"। "ଆମେ ଓଡ଼ିଆ ଗୀତ, ସିନେମା, ସବୁ ୟୁଟ୍ୟୁବରେ ଦେଖୁଁ। ପୁରୀ, ଭୁବନେଶ୍ୱର ଯାଉଁ। ଏଇ ବର୍ଷ ଆମ ଝିଅକୁ କେଉଁଝର, ଚମ୍ପୁଆରେ ବାହା ଦେବୁ"। "ଆମ ଗାଁଟି କଣ, ପଞ୍ଚାୟତଟି ଯାକ ଓଡ଼ିଆ"। "ତୁମ ପରି ଓଡ଼ିଆ କହି ପାରୁନୁ। ସରକାରୀ ଲେଖା ପଢ଼ାତ ହିନ୍ଦୀ ହୋଇଗଲା, କହୁଛୁ ଓଡ଼ିଆ, ଲେଖୁଛୁ ହିନ୍ଦୀ"। ଗତ ଏପ୍ରିଲ ମାସରେ ଏପରି ଉକ୍ତି, ପ୍ରକଳ୍ପ ଭ୍ରମଣ ସମୟରେ ଜଣେ ପଞ୍ଚାୟତର ସରପଞ୍ଚ କହିଥିଲେ।
"ମୁଁ ଓଡ଼ିଆ ନୁହେଁ, ହୋ ଆଦିବାସୀ ଝିଅ, ବାହା ହୋଇଛି ହୋ ଆଦିବାସୀ ଘରେ। ମୁଁ ଓଡ଼ିଆ କୁହେ, ହୋ କୁହେ ଓ ହିନ୍ଦୀବି କୁହେ। ଆମର ହୋ ଲୋକ ବି ଓଡ଼ିଆ ଜାଣନ୍ତି। ଆମେ ସବୁ ମିଳି ମିଶି ରହୁ"। ପ୍ରକଳ୍ପ ଭ୍ରମଣ ସମୟରେ ଜଣେ ସ୍ବାସ୍ଥ୍ୟ ସହାୟିକା ଏହି ଉକ୍ତି ପ୍ରକାଶ କରିଥିଲେ।
"ମୁଁ ଓଡ଼ିଆ ପଞ୍ଚମ ଶ୍ରେଣୀ ଯାଏଁ ପଢିଲି। ତାପରେ, ଆଗକୁ ଶିକ୍ଷକ ମିଳନ୍ତି ନାହିଁ ବୋଲି, ପଢ଼ାରେ ଅସୁବିଧା ହେବ ଭାବି, ମୁଁ ହିନ୍ଦୀ ମାଧ୍ୟମରେ ବିଏ ସାରିଲି। ମୁଁ ଓଡ଼ିଆ ପଢ଼ି ଓ ଲେଖି ଜାଣେ। ବ୍ୟବହାର କମ, ତେଣୁ ଅଭ୍ୟାସ ଛାଡ଼ି ଯାଉଛି"। ଇଏ ହେଉଛନ୍ତି, ଝାଡ଼ଖଣ୍ଡର ଓଡ଼ିଆ ଅଧିବାସୀ, ମୋର ସହକର୍ମୀ।
"ଓଡ଼ିଆ ଖାଦ୍ୟ, ଶାଗ, ପିଠା, ସନ୍ତୁଳା ନାନା ପ୍ରକାର। ପିଠା: କାକରା ପିଠା, ପୋଡ ପିଠା, ମଣ୍ଡା ପିଠା, ଶାରୁ ପତ୍ର ପିଠା, ତାଳ ପିଠା, ଆରିସା ପିଠା, ସର ପିଠା, ଶିଝା ପିଠା ଇତ୍ୟାଦି। ଶାଗରେ ବି ଅନେକ ପ୍ରକାର ଶାଗ, ଭାଜି ଶାଗ, ମେଥି ଶାଗ, ସଜନା ଶାଗ, ମୂର୍ଦଙ୍ଗ ଶାଗ, ମାର୍ଷି ଶାଗ, ଖପୁରୀ ଶାଗ, ଦେଶ ଶାଗ, ଇତ୍ୟାଦି। ମାଛ: ଭକୁର, ରୋହି, ମାଗୁର, ଇଲିସି, ପିତାଡି, ଝରାଡି, ବୁଆଡ, ହାଡ଼ି ଚେଙ୍ଗ, ଗଡେଇ, ଗେଥୁ ଇତ୍ୟାଦି। ହରକେଇ, ବଏତରଣି, ସୁବର୍ଣ୍ଣରେଖା ନଦୀରେ ବର୍ଷ ସାରା ମିଳେ। ଚିଙ୍ଗୁଡ଼ି ଛୋଟ ବଡ଼ ବିଭିନ୍ନ ପ୍ରକାର, ଅନେକ ପ୍ରକାର, ସ୍ଥାନୀୟ, ବନ୍ଧ, ସର, ନଦୀ ଇତ୍ୟାଦି ରୁ ମିଳେ। ମାଛର ପ୍ରଚୂର୍ଯ୍ୟତା ପାଇଁ ସ୍ଥାନୀୟ ଅଂଚଳର ସୁଖା, ପୋଡ଼ା, ଶୁଖୁଆ ମାଛ ବି ମିଳେ। ପଖାଳ ବାସି ଓ ଗରମ, ଉଭୟ ପଖାଳ ସାଙ୍ଗେ, ବଡ଼ିଚୁରା, ପାମ୍ପଡ, ଘାଣ୍ଟ, ନାନା ପ୍ରକାର ଚଟଣୀ, ଧନିଆ, ପଦିନା, ବିଲାତି, ବାଇଗଣ, ପୋଟଳ, ଆଳୁ, ଭେଣ୍ଡି, ନିମ ପତ୍ର ଚଟଣୀ, କଙ୍ଗରା ଚଟଣୀ ଇତ୍ୟାଦି। ଏସବୁ ଆମର ଭଲ। ଏଇଠି ହୋ ଆଉ ବିହାରିବି ଆମ ପରି ଖାଇବା ରୁଚି, ରୀତି ଓ ପ୍ରସ୍ତୁତି କରନ୍ତି"। "ମୁଁ ନିଜେ ଏଇଠି ଏକ ହୋଟେଲ ରେ ଖାଏଁ, ବିହାର ପରି ଏଇଠି କଷ୍ଟ ହେଲା ନାହିଁ"। "ଆଦିବାସୀଙ୍କ ପର୍ବ ଅଲଗା, ବାକି ସବୁ ଓଡ଼ିଆ ପର୍ବ ଓ ପୂଜା ଯଥା, ମଙ୍ଗଳା ଉଷା, ରଜ, ମକର, କାର୍ତ୍ତିକ ପୂର୍ଣ୍ଣମୀ, ଡଙ୍ଗାଭଶା, ସମଲେଶ୍ଵରୀ, ଗଜ ବେଣୀ, ତାରିଣୀ, ଗ୍ରାମ ପୂଜା, ବସ୍ତ୍ରା ହାଣ୍ଡି, ଝୁମଙ୍କେଶ୍ୱରି, ସୁଦେଶା ବ୍ରତ ଇତ୍ୟାଦି ପୂଜା ଏଠି ପାଳନ କରାଯାଏ", କହିଲେ, ଜଣେ ମୋ ଭଡ଼ା ଘର ପାଖ ଓଡ଼ିଆ ସ୍ଥାଇ ବାସିନ୍ଦା ବିଧବା ମହିଳା ପଡୋଶୀ। "ସ୍ବାମୀ ବି ଓଡ଼ିଆ, କାରଗିଲ ଯୁଦ୍ଧରେ ସହିଦ ହେଲେ।"
ଜାମସେଦପୁର ସହରର ଜଣେ ଓଡ଼ିଆ ଭାଇ କହନ୍ତି, "ମୁଁ ଜଣେ ଓଡ଼ିଆ, ମୋ ପରିବାରବୃନ୍ଦ ସମସ୍ତେ ଓଡ଼ିଆ, ଘରେ ଓ ବହାରେବି ଆମେ ଓଡ଼ିଆ କହୁ। ମୁଁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଜାମସେଦପୁର ସହରରେ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛି। ଉଚ୍ଚ ଶିକ୍ଷା ପାଇଁ ହିନ୍ଦୀ ସ୍କୁଲକୁ ଗଲି।"
ଏପରି ଏକ ପରିବେଶରେ ଓଡ଼ିଆ ଭାଷା ବାଦୀଙ୍କ ପାଇଁ ଉତ୍କଳ ଦିବସ ଉପଲକ୍ଷେ ଏକ ଆଲେଖ୍ୟ ପ୍ରସ୍ତୁତ କରିବା ସମୟରେ ଇଣ୍ଟର ନେଟରେ ଦେଖିଲି, ଓଡ଼ିଶାର ରାଜନୈତିକ ଦଳ ସମୂହ ଝାଡ଼ଖଣ୍ଡ ସରକାରଙ୍କୁ ଅନୁରୋଧ କରନ୍ତି, ଓଡ଼ିଆ ଭାଷା 'ଶିକ୍ଷକ ପ୍ରଶିକ୍ଷଣ' ତାଲିମ ଖସଡ଼ାରୁ, ଓଡ଼ିଆ ଭାଷାକୁ ଉଚ୍ଛେଦ ନ କରାଯାଉ।
ସାଢେଇଖଳାର ରାଜାଙ୍କ ଦାୟାଦ, ବ୍ୟକ୍ତିଗତ ସାକ୍ଷାତକାର ସମୟରେ ଶ୍ରୀ ପ୍ରତାପ ସିଂହଦିଓ କହନ୍ତି, ସବୁ ଖାଦ୍ୟ ପେୟ, ପର୍ବ ପର୍ବାଣୀ, ବିବାହ ବନ୍ଧୁତା ଏବେବି ଆମର ଓଡ଼ିଆ। ତାଙ୍କର ପାରିବାରିକ ସମ୍ପ୍ରର୍କ କଳାହାଣ୍ଡି, ମୟୂରଭଞ୍ଜ, ପୁରୀ, ବଲାଙ୍ଗୀର ଇତ୍ୟାଦିର ରାଜ ପରିବାର ସହିତ ଏବେବି ରହିଛି। ଯିବା ଆସିବା ବି ଚାଲଛି। କିନ୍ତୁ ଏଇଠି, "ହିନ୍ଦୀ" ସରକାରୀ ମାଧ୍ୟମର ଭାଷା, ସେଥିପାଇଁ, ଆମ ଓଡ଼ିଆ ଭାଷା ଝାଡଖଣ୍ଡରେ ଅବକ୍ଷୟ ହେଉଛି। ସଢେଇଖଳା ସହର ଯାକ ଓ ସିଂଭୁମ୍ ଜନତା ଓଡ଼ିଆ। ହୋ ଆଦିବାସୀବି ଓଡ଼ିଆ କହୁଥିଲେ, ଆଜି ଏହା ତାଙ୍କ ଭିତରେ ବିଲୁପ୍ତ ହେବାକୁ ଯାଉଛି। ଝାଡଖଣ୍ଡ ସରକାର, ସିଂଭୁମକୁ, ଓଡ଼ିଆ ଅଞ୍ଚଳ ସ୍ୱିକାର କରନ୍ତି। ଓଡ଼ିଆ ସ୍କୁଲ ଗୁଡ଼ିକ ବି ଏଇଠି ଅଛି। ପିଲା କଲେଜ ଓ ସିଂଭୁମ୍ କୁଲହାନ ବିଶ୍ଵବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଓଡ଼ିଆରେ ବି କରନ୍ତି। ସଢେଇଖଳାର ଘରେ ଘରେ ପୁରେ ପୁରେ, ରାଜମହଲ ଠୁ ଆରମ୍ଭ କରି, ସବୁ ପଡ଼ା, ସାହି, ଦୋକାନ ବଜାର, ଗାଧୁଆ ତୋଠ, ଶ୍ମଶାନ ଇତ୍ୟାଦି ସବୁ ଜାଗାରେ ଓଡ଼ିଆ ଓ ଓଡ଼ିଆ ଭାଷା ପ୍ରଚଳିତ। ଦୋକାନ ବଜାରରେ, ଗାଁ ଓ ସହର ପ୍ରବେଶ ସ୍ଥାନରେ ଓଡ଼ିଆ ସୂଚନା ଫଳକ ଦେଖିବାକୁ ମିଳେ।
ସିଂଭୁମ୍ ଅଞ୍ଚଳ ପାଇଁ କୁଲହାନ ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଛି। ଏହାର ସ୍ନାତକତ୍ତର ବିଭାଗର ଏଚଓଡ଼ି ବା ମୁଖ୍ୟ ଡ. ହରିହର ପ୍ରଧାନ ସାକ୍ଷାତ କାର ସମୟରେ କହନ୍ତି, କୁଲହାନ ପ୍ରକୃତରେ ଏକ ଭୌଗଳିକ ଅଞ୍ଚଳ। ଏହା ଓଡ଼ିଆ ଓ ହୋ, ଭାଷା ବାଦି ଓ ଭୁସମ୍ପତ୍ତିରେ ପରିପୂର୍ଣ୍ଣ। ଓଡ଼ିଶା, ଭାଷା, ଗୀତ, ନୃତ୍ୟ, ପର୍ବ, ଖାଦ୍ୟ, ପୂଜା, ରୀତି, ନୀତି, ସଂସ୍କୃତି ଏହାର ପ୍ରମାଣ। ଛଉ ନୃତ୍ୟ, ସିଂଭୁମରୁ ଜାତ। ସିଂଭୁମ୍ ବର୍ତ୍ତମାନ ପୁର୍ବ ସିଂଭୁମ୍ ଓ ପଶ୍ଚିମ ସିଂଭୁମ୍ ନାମରେ ବିଭକ୍ତ, ତା ଉପରେ ସାଢେଇଖଳା ଏକ ଜିଲ୍ଲା। ଏହି ଅଞ୍ଚଳ ଓଡ଼ିଶାର ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ସୀମାକୁ ଲାଗି ରହିଛି। ଏହି ତିନି ଜିଲ୍ଲାର ସହର ଓ ଗାଁ ମାନଙ୍କର ହାଟ, ବଜାର, ସ୍କୁଲ, କଲେଜରେ ପିଲା ବହୁ ମାତ୍ରାରେ ଓଡ଼ିଆ କହନ୍ତି। ଆନେକ ଗାଁ, ସମ୍ପୂର୍ଣ ଓଡିଆ। ଭଣ୍ଡାରି, ବାରିକ, କୁମ୍ଭାର, ଧୋବା, ଗଉଡ, ଗୁଡ଼ିଆ, ବ୍ରାହ୍ମଣ ନ ହେଲେ ବିବାହ ଓ ମୃତ୍ୟୁର କ୍ରିୟା କର୍ମ ଓଡ଼ିଆଙ୍କ ହେଉନାହିଁ ଓ ରାଜା ପ୍ରଜା ସବୁ ଓଡ଼ିଆ ରୀତିରେ ସାମାଜିକ ଓ ଧାର୍ମିକ କାର୍ଯ୍ୟ, ସହଜରେବି କରୁଛନ୍ତି।"
"ଗୁରୁତ୍ବ ପୂର୍ଣ୍ଣ ଓ ହୃଦୟ ବିଦାରକ ବିଷୟ ହେଉଛି, ଏହି ଅଞ୍ଚଳର ଅନେକ ସ୍ଥାନୀୟ ଓଡ଼ିଆ ଶବ୍ଦ, ଢଗ, ଢ଼ମାଣି, ଲୋକ ଗୀତ, କାହାଣୀ, ଯାହାକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଳିଷ୍ଠ, ବଇଭବ, ବ୍ୟାପକ ଓ ଶ୍ରୀବୃଦ୍ଧି କରିପାରିବ, ତାହା ଓଡ଼ିଶା ଭାଷା ଓ ସାହିତ୍ୟ ସହିତ ଯୋଡ଼ା ଜାଇ ପାରୁନାହିଁ ବରଂ କ୍ଷୀପ୍ର ଗତିରେ ଲୋପ ପାଉଛି। ଓଡ଼ିଆ ଭାଷାର ଉନ୍ନତ ଅକ୍ଷର ଓ ବ୍ୟାକରଣ ଥାଇ, ଏହା ଏହି ଅଞ୍ଚଳରେ ଉପେକ୍ଷିତ, କିନ୍ତୁ ହୋ ଜନଜାତିର ଅକ୍ଷର ନ ଥାଇ ଏବେ ଅକ୍ଷର ଉଦ୍ଭାବନ କରାଯାଇଛି ଓ ହୋ ଭାଷାର ସଂରକ୍ଷଣ ଓ ଉନ୍ନତିର ପ୍ରକ୍ରିୟା ଜୋର୍ ସୋର୍ ରେ ଚାଲିଛି। ମୟୂରଭଞ୍ଜ, ବାଲେଶ୍ଵର, ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼ ସହିତ ସିଂଭୁମ୍ ଓ କୁଲହାନ ଅଞ୍ଚାଲରୁ ଯାତାୟାତ ସୁବିଧା ଅଛି ଓ ନିତିଦିନ ଯାତାୟାତ ଚାଲିଛି। ଏହି ସୁସମ୍ପର୍କର ମମତା ଓ ମାଧୂର୍ଯ୍ୟ ଏହି ଦୁଇ ପ୍ରଦେଶ ମଧ୍ୟରେ ଯାତ୍ରା କରୁଥିବା ସାର୍ବଜନିନ ବସ୍ ଓ ଟ୍ରେନ ରେ ଯାତ୍ରା କଲେ, ତାହାର ଆନନ୍ଦ ଉପଭୋଗ କରିହୁଏ। ଅନ୍ୟ ପକ୍ଷରେ କୋଲାହନ ତମ୍ବା, ଲୁହା ପଥର, ୟୁରାନିୟମ, ଚୁମ୍ବକ ପଥର, ନିକେଲ, ସୁନା, ସିଲଭର୍, ଟେଲୁରିଅମ୍, ସେଲେନିଅମ୍ ଇତ୍ୟାଦି ଖଣିଜ ପଦାର୍ଥର ଗୃହ କହିଲେ ଅତ୍ୟୁକ୍ତି ହେବ ନାହିଁ। ଟାଟା, ଏସିସି, ରୁଙ୍ଗଟା ଓ ଅନ୍ୟାନ୍ୟ ଶିଳ୍ପପତି ବ୍ରିଟିଶ ଅମଳରୁ ଏଠି ଶିଳ୍ପ ଉଦ୍ୟୋଗି। ବିଦେଶୀ କମ୍ପାନୀ ମାନଙ୍କର ବି ଏଠି ନଜର ରହି ଆସିଛି। କୋଇଲା, ଲୁହା ପଥର, ଜଙ୍ଗଲ ଦ୍ରବ୍ୟ ପାଇଁ, ଦୁର୍ଗମ ଗିରି କଦ୍ଦରକୁ ମାଲ ବାହି ରେଳ ସାଙ୍ଗକୁ ଯାତ୍ରୀ ବାହି ରେଳ ପଥ ତିଆରି ଯଦିଓ ବହୁଦିନରୁ ହୋଇଛି, ଜନ ସାଧାରଣଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଓ ଚାଷ ଉତ୍ପାଦନ ଇତ୍ୟାଦି, ଓଡ଼ିଶାର କୌଣସି ଏକ ଜିଲ୍ଲାର ବିକାଶର ସୁଚାଙ୍କ ଠାରୁ ଅଧିକ ନୁହେଁ ତାହା ମନେ ହେଉଛି। ଚାଇବସା, ଚକ୍ରଧରପୁର ଓ ଟାଟା ରେଳ ଷ୍ଟେସନରୁ ସବୁଦିନ ବହୁ ସଂଖ୍ୟାରେ ଦାଦନ ଯାତାୟାତ କରୁଛନ୍ତି। ଦାଦନ ଶୋଷଣ ଓ ମୃତ୍ୟୁ ଖବର, ଏହି ଅଞ୍ଚଳର ଖବର କାଗଜରେ ସାଧାରଣ ଖବର ଅଟେ।
ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀମତି ଦ୍ରୋପଦି ମୂର୍ମୁ ଯେତେବେଳେ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଥିଲେ, ସେ ରାଇରଙ୍ଗପୁରରୁ ସୁବିଧାରେ ଯିବା ଆସିବା କରୁଥିଲେ। ଏଠିକାର ଓଡ଼ିଆ ଓ ଅଣ ଓଡ଼ିଆ ଭାଷାବାଦୀ, ଶ୍ରୀମତି ମୂର୍ମୁଙ୍କୁ ନିଜର ଓଡ଼ିଆ ଭାବି, ଅଧିକ ଆପଣାଇ ନେଇଥିଲେ।
ଏଠି ଜାଣି ରଖିବା, ଓଡ଼ିଶାରେ ସାନ୍ତାଳୀ ଜନ ଜାତି, ସାନ୍ତାଳୀ ଭାଷା ସହିତ ଓଡ଼ିଆ କହନ୍ତି। ସିଂହଭୁମ୍ ଓ କୁଲହାନ ଅଞ୍ଚଳର ସାନ୍ତାଳୀ ଜନ ଜାତି ମଧ୍ୟ ସାନ୍ତାଳୀ ଭାଷା ସହିତ ଓଡ଼ିଆ କହନ୍ତି। ସେମାନଙ୍କର ରକ୍ତ ସମ୍ପର୍କ ରହିଛି। ୧୯୪୮ ପର୍ଯ୍ୟନ୍ତ, ସଢେଇଖଳା-ଖର୍ଶୁଆଁ ରାଜାଙ୍କ ଅଧୀନରେ ଏହି କୁଲହନ, ସିଂଭୁମ୍, ସଢେଇଖଳା ଓ ଖର୍ଶୁଆଁ ରାଜ୍ୟ ଗୋଟିଏ ରାଜା ଶାସନର ରିୟାସତ୍ ହୋଇ ରହି ଆସିଥିଲା, କିନ୍ତୁ ଜନଜାତିଙ୍କ ଓ ରାଜାଙ୍କର ଇଚ୍ଛା ଅନୁଯାୟୀ ଏହି ଅଞ୍ଚଳ ବିହାର ପ୍ରଦେଶରେ ମିଶିଗଲା। ଡ. ହରିହର ପ୍ରଧାନ କହନ୍ତି, ଯଦିଓ ଓଡ଼ିଆ ଛାତ୍ର, ଛାତ୍ରି, ଶିକ୍ଷକ, ଅଧ୍ୟାପକ ଓ ଜନ ସାଧାରଣ ଓଡ଼ିଶା ଓ ଓଡ଼ିଆ ବାସୀଙ୍କ ସହିତ ସମ୍ପର୍କର ପୁନଃ ସ୍ଥାପନର ପ୍ରଗାଢ ଇଚ୍ଛା ପୋଷଣ କରନ୍ତି, କିନ୍ତୁ ଓଡ଼ିଶା ରାଜ୍ୟ ତରଫରୁ ହାର୍ଦିକତା ଓ ସହଯୋଗ, କଳା ଓ ସାହିତ୍ୟ ସଂରକ୍ଷଣ ଓ ଗବେଷଣା ଇତ୍ୟାଦି ଦିଗରେ ଦେଖିବାକୁ କ୍ଵଚିତ ମିଳେ। କେତେବେଳେ କେମିତି କିଛି କର୍ମସାଳା ବା ସଭା ସମିତି, କାଆଁଭାଁ କରି ଭାବପ୍ରବଣତାରେ ଶେଷ ହୁଏ। କଳା ଓ ସାହିତ୍ୟର ଗବେଷଣା, ସଂରକ୍ଷଣ ଓ ସମ୍ପର୍କ ବୃଦ୍ଧିରେ ଉଭୟ ରାଜ୍ୟର ରାଜ୍ୟ ସ୍ତରୀୟ ଓ ବିଶ୍ଵ ବିଦ୍ୟାଳୟ ସ୍ଥରୀୟ ଉଦ୍ୟମ ଲଗାତାର ହୋଇ ପରୁ ନାହିଁ। ବିଶ୍ଵ ବିଦ୍ୟାଳୟ ମାନଙ୍କ ଓଡ଼ିଆ ବିଭାଗ ଗୁଡ଼ିକର ଏକ ସମନ୍ୱୟ କମିଟି ଗଠନ କରି, ଓଭୟ ମୁଖ୍ୟ ମନ୍ତ୍ରୀଙ୍କ ମିଳିତ ତତ୍ତ୍ଵାବଧାନରେ ଅର୍ଥ ଓ କର୍ମ ଚାରି ଯୋଗାଇ, ପ୍ରକଳ୍ପ ଗୁଡ଼ିକ, ସାହିତ୍ୟ, ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ଦିଆଯାଇ ତଦାରଖ କଲେ, ଓଡ଼ିଆ ଭାଷା ଓ ସଂସ୍କୃତିର ସଂରକ୍ଷଣ ଓ ବିକାଶ ଉଭୟ ରାଜ୍ୟରେ, ଓଡ଼ିଆଙ୍କର ଗୌରବ ଓ ଗାରୀମାକୁ ବଢ଼ାଇବାରେ ସହାୟକ ହୁଅନ୍ତା।
ଏହି ଅଞ୍ଚଳରେ ଓଡ଼ିଆ ପାନ, ଗୀତ, ପିଠା, ମିଠା ଓ କଥା ସବୁଦିନ ସବୁ ଗାଁ, ବସ୍ତି ଓ ସହରରେ ଦେଖିବାକୁ ମିଳେ। କୁଲହାନ, ସିଂଭୁମ, ସଢେଇଖଳା-ଖର୍ଶୁଆଁ ଜିଲ୍ଲାର ମିଶ୍ରିତ ଭୂଗୋଳ, ପ୍ରାୟ ଅଢେଇଶହ କିଲୋମିଟର ବ୍ୟାସାର୍ଦ୍ଧ୍ ବିସ୍ତୃତ ଅଞ୍ଚଳ। କିନ୍ତୁ ଏହି ଅଞ୍ଚଳର ଓଡ଼ିଆ ନିଜକୁ ମାଁ ହରା ଅନୁଭବ କରନ୍ତି ଆଉ କଥା ବାର୍ତ୍ତା କଲେ ଜଣା ପଡ଼େ, ସେମାନେ ଏବେବି ମାଁର ପ୍ରେମ, ସ୍ପର୍ଶ ଓ ଆଲିଙ୍ଗନ ଅପେକ୍ଷାରେ ଅଛନ୍ତି। ଓଡ଼ିଶାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ, ଏଇଠି ବି ଓଡ଼ିଆ ଲୋକ ଗାଇବାକୁ ଚାହାନ୍ତି। ତାହା ତାଙ୍କ ପାଇଁ କେତେ ପ୍ରଜୁର୍ଯ୍ୟ କହି ହେଉନାହିଁ।
ରଚନାର ପରିସମାପ୍ତି ପୂର୍ବରୁ ଏହା ଉଲ୍ଲେଖନୀୟ, ଗରିବ ଆଜିବି, ପୃଥିବୀର ଓ ଭାରତର ସବୁ ଜାଗାରେ ଉପେକ୍ଷିତ। ବିଚ୍ଛିନ୍ନ ଅଞ୍ଚଳର ଓଡ଼ିଆ ଗରିବ, ଯିଏ ପାଠ ପଢିନି, ଖଟିଖିଆ, ମଜୁରିଆ, ଅନ୍ୟ ଭାଷା ବାଦି ଘରେ, ଦପ୍ତରରେ, ଦୋକାନରେ କାମ କରେ, ସେ ବି ଉପେକ୍ଷିତ ତାହା ଅନୁମେୟ, କିନ୍ତୁ କିପରି ଭାଷା ପାଇଁ କେମିତି କଥା କଥାରେ, ଟିହା ଟାପରା, ଓଡ଼ିଶା ପ୍ରଦେଶ ଗଠନ ହେଲା ଦିନୁ ଵିଛିନ୍ନାଞ୍ଚଳର ଓଡ଼ିଆ ଅଧିବାସୀ ସହୁଛି, ବିଭିନ୍ନ ପ୍ରକାରେ ଉପେକ୍ଷିତ ହେଉଛି ଯଥା, ମାନସିକ, ଆର୍ଥିକ, ସାମାଜିକ, ଇତ୍ୟାଦି ଭାବରେ, ତାକୁ ଓଡ଼ିଆ ଭାଷା ପ୍ରେମୀ, ଜାତି ପ୍ରେମୀ, କିପରି ହୃଦୟରେ ଚାପି ସୋଇ ପାରିଛନ୍ତି, ଉତ୍ତର ରଖିବା ଆବଶ୍ୟକ। ପ୍ରଶାସନର ଓଡ଼ିଆ ଅଧିକାରୀ, ରାଜ ନୀତିର ନେତୃବୃନ୍ଦ, ଓଡ଼ିଆ ସାହିତ୍ୟର ସାଧକ ଓ ସାମ୍ବାଦିକ, ଏଦିଗରେ ଉତ୍କଳ ଦିବସ ବ୍ୟତୀତ, ଅନ୍ୟ ଦିବସରେ ବି ଚିନ୍ତା ଓ କାର୍ଯ୍ୟ ଜାରିରଖିବା ଆବଶ୍ୟକ।
ସମାଜ ସେବାରେ,
ଡୁଇଟ ଡେଭିଡ ଫିଲିପ
ଚାଇବାଶା, ଝାଡ଼ଖଣ୍ଡ
edit
No comments:
Post a Comment