ଆମେ ସମସ୍ତେ ଧାର୍ମିକ କିନ୍ତୁ ପ୍ରେମିକ ନୋହୁଁ।

ଆମେ ସମସ୍ତେ ଧାର୍ମିକ କିନ୍ତୁ ପ୍ରେମିକ ନୋହୁଁ।
-----------
କୌଣସି ଧର୍ମ ଗ୍ରନ୍ଥରେ ସ୍ଥାନ ପାଇଥିବା ପ୍ରଭୁ ବା ଇଶ୍ଵର ବା ଗଡ୍ କୌଣସି ଆଖିରେ ଦେଖାଯାଉଥିବା ଧର୍ମ ଗଠନ କରିନାହାନ୍ତି ଏହା ବିଶ୍ୱାସ୍ୟ। ଧର୍ମ, କୌଣସି ଧର୍ମ ଗ୍ରନ୍ଥ କିମ୍ବା କୌଣସି ଜଗତରେ ଅବତାର ବା ମନୁଷ୍ୟ ରୂପି ବ୍ୟକ୍ତିତ୍ବକୁ ଅନୁସରଣ କରି, ପୃଥିବୀର ବିଭିନ୍ନ ଭୂଖଣ୍ଡରେ, ଅନୁସରଣ କାରିଗଣ, ଧର୍ମକୁ ଏକ ରୂପ, ସମୟ କ୍ରମେ ଦେଇଆସିଛନ୍ତି । କୌଣସି ଧର୍ମର ଜନ୍ମ କୌଣସି ଗୋଟିଏ ଦିନରେ ସୃଷ୍ଟି ବା ଜନ୍ମ ହୋଇ ନାହିଁ। ସେହି ପ୍ରଭୁ ବା ଇଶ୍ଵର ଗୁରୁ କିମ୍ବା ଗଡ୍, ଶିକ୍ଷକ ହୋଇ, ପାରମାର୍ଥିକ ଅନୁଭୂତିକୁ ବ୍ୟକ୍ତ କରି, ନିଜ ପାଇଁ ବା ସମାଜକୁ ଦେଇଥିବା ଗଠନ ମୂଳକ ପନ୍ଥା ବା ଦର୍ଶନକୁ ଧର୍ମର ବିଧି, ବିଧାନ କହିପାରିବା ବା କୁହାଯାଉଛି। ଧର୍ମ ନିଜର ଭୌତିକ କ୍ଷତିକୁ ଜଳାଞ୍ଜଳି ଦେଇ, ଅନ୍ୟର ଭୌତିକ ଓ ପାରମାର୍ଥିକ ଉନ୍ନତି ପାଇଁ ପ୍ରେରଣା ଓ ସହଯୋଗ ଦେଇ ଥାଏ।
ପ୍ରେମ ଯେକୌଣସି ଧର୍ମର ପ୍ରାରମ୍ଭ ଓ ଶେଷ। ପ୍ରେମ ନିଜର କ୍ଷତିକୁ ଗୁରୁତ୍ଵ ଦିଏ ନାହିଁ। ପ୍ରେମ ଏକ ବିଶ୍ଵ ବ୍ୟାପି ଏକ ଭାଷା, ଏକ ଦୃଷ୍ଟି, ଏକ ଅନୁଭୂତି, ଏକ କ୍ଷୁଧା। ପ୍ରେମର ବାସନା, ସ୍ପର୍ଶ ଓ ଆଖି ଏକ ସଂଯୋଜକ। ପ୍ରେମ ଦୁଇ ବା ତତୋଧିକଙ୍କୁ ଯୋଗ କରେ। ପ୍ରେମରେ, ପ୍ରେମ ଯୋଗ କଲେ ପ୍ରେମ ଗୁଣିତ ହୁଏ। ପ୍ରେମ ପରସ୍ପର ପାଇଁ ବ୍ୟାକୁଳ ହୁଏ। ପ୍ରେମ ଏକତ୍ର ବାସ କରିବା ପାଇଁ ବ୍ୟାକୁଳ ହୁଏ।
ଧର୍ମ ଓ ପ୍ରେମ ପରିପୂରକ। ପ୍ରେମ ଯଦି ଜଳାଞ୍ଜଳି ଅଟେ, ଧର୍ମ ମଧ୍ୟ ଜଳାଞ୍ଜଳି ଶିକ୍ଷା ଦିଏ। ପ୍ରେମ ମଣିଷ ଓ ପରମାତ୍ମାଙ୍କୁ କେବଳ ଯୋଗ କରେ ନାହଁ, ପ୍ରେମ ମଣିଷ, ପଶୁ, ସରୀସୃପ, ପକ୍ଷୀ ଓ ଉଦ୍ଭିଦ ସମସ୍ତଙ୍କୁ ଯୋଡ଼ିଦିଏ।
ରେଳଗାଡ଼ି ଓ ବସ୍ ରେ, ଭିଡ଼ ଥିଲେବି, ପ୍ରେମ ଥିଲେ ସମସ୍ତଙ୍କୁ ସୁବିଧାରେ ଜାଗା ମିଳି ଯାଏ। ପ୍ରେମ ନଥିଲେ, କୋଠା ଓ ଉଆସ ମାନଙ୍କରେ, ଦୁଇଟି ପ୍ରାଣୀବି ସାଙ୍ଗରେ ରହି ପାରନ୍ତି ନାହିଁ।ଦୁଇଟି ଧର୍ମର ଲୋକ ବିବାହ କରି ଶାନ୍ତିରେ ଦୀର୍ଘ ଓ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଜୀବନ କାଟିବା ଉଦାହରଣ, ବିଭିନ୍ନ ଧର୍ମ ଗ୍ରନ୍ଥ ଓ ବର୍ତ୍ତମାନର ଦୁନିଆରେ, ଯଥେଷ୍ଟ ନଜିର ରହିଛି।  ଶେଷ ନିଃଶ୍ୱାସ ଯାଏ ଅନେକ ପରିବାର ଓ ଯୋଡ଼ି, ତାହା ସମ୍ଭବ କରି ଦେଖାଉଛନ୍ତି।
ଧର୍ମ ଭଲ ନା ଖରାପ, ପ୍ରତ୍ୟେକ ସାଧାରଣ ଓ ଅସାଧାରଣ ମଣିଷ, କିଏ କାଗଜ କଲମ ଧରି କିମ୍ବା ଅନେକ କାଗଜ କଲମ ନଧରି ମଧ୍ୟ, ଜୀବନର ଯାତ୍ରାରେ, ସମସ୍ତେ ଗବେଷଣା କରିଚାଲିଛନ୍ତି ଓ ପରଖୁଛନ୍ତି। ଅଣ ଆନୁଷ୍ଠାନିକ ଗବିଷଣା ଅନବରତ ସମସ୍ତଙ୍କ ମୁଣ୍ଡରେ ଚାଲିଛି। ଗବେଷଣାର କୌଶଳକୁ ବିଧିବଦ୍ଧ ଭାବରେ ଅବଲମ୍ବନ ନକରିବି, ଆମେ ସମସ୍ତେ ବ୍ୟକ୍ତି ଗତ ଭାବେ, ଶିକ୍ଷିତ ହେଉ କି ଅଶିକ୍ଷିତ ହେଉ, ଗବେଷଣା କରିଚାଲିଛୁ।
କୁକୁର, ବିଲେଇ, ଗାଈ, ପକ୍ଷୀ ଇତ୍ୟାଦି ଗୃହ ପାଳିତ ଜୀବ ବା ସାନ ସାନ ମଣିଷ ଛୁଆ, କିଏ ପ୍ରେମିକ କିଏ ପ୍ରେମିକ ନୁହେଁ ସମସ୍ତେ ଲକ୍ଷ୍ୟ କରୁଛନ୍ତି। କିଛି ଉଦ୍ଭିଦ, ସରୀସୃପ ଓ ହିଂସ୍ରକ ପ୍ରାଣିବି ସେପ୍ରକାର ଲକ୍ଷ କରନ୍ତି, ବୁଝନ୍ତି ଓ ସେପ୍ରକାରେ ପାଳିତ ହୁଅନ୍ତି, ଅନ୍ୟକୁ ବ୍ୟବହାର କରନ୍ତି।
ପ୍ରେମ ପାଇ ମଣିଷ, ସାଧାରଣ ଏକ ଜନ୍ତୁ ପାଇଁ ଜୀବନ ଦେବା ଓ ଏକ ସାଧାରଣ ଜନ୍ତୁ ମଣିଷ ପାଇଁ ଅସାଧାରଣ ଭାବେ ଅକାଳ ମୃତ୍ୟୁ ବରଣ କରିବାର ବହୁ ଉଦାହରଣ ଘରେ ଘରେ ଦେଖିବାକୁ ମିଳୁଛି।
କୁକୁର, ବିଲେଇ, ଗାଈ, ପକ୍ଷୀ ଇତ୍ୟାଦି କିଏ ପ୍ରେମିକ ଓ କିଏ ନୁହେଁ, ଜାଣନ୍ତି ଓ ପ୍ରତିକ୍ରିୟା କରନ୍ତି। ମଣିଷର କ୍ଷେତ୍ରରେ, ସହନ ଶିଳତା ଗୁଣ, ଅନେକଙ୍କୁ ସଂସ୍କୃତିର ଚାପରେ ଓ ବିପରୀତ ଶକ୍ତିର ଭୟାବହତା ପାଇଁ, ସହିବାକୁ ବାଧ୍ୟ କରିଥାଏ। ସଭ୍ୟ ସମାଜରେ ସହିବା ମଣିଷକୁ ମନୁଷ୍ୟ କୁହାଯାଏ, ଅସହିଷ୍ଣୁ ମଣିଷକୁ ପଶୁ କୁହାଯାଏ।
ଆଜିକାଲି କୁକୁର ପାଳନ ଓ କୁକୁର ପ୍ରେମ ବହୁ ପରିମାଣରେ ବଢୁଛି। ଅନୁମାନ କରାଯାଏ, ଆମ ଦେଶରେ ବୁଲା କୁକୁର ସଂଖ୍ୟା କମୁଛି ଓ ଗୃହ ପାଳିତ କୁକୁର ସଂଖ୍ୟା ବଢୁଛି। ଯେତିକି କୁକୁର ଶୀତ-ତାପ ନୀୟନ୍ତ୍ରଣ ଘରେ ରହୁଛନ୍ତି, ସେତିକି ମାତ୍ରାରେ ଗରିବ ଓ ଅନାଥଙ୍କୁ ସୁଯୋଗ ଦେଲେ, ଗରିବ ରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଆହୁରି କମିଯାଇ ପାରନ୍ତା।
ସୁତରାଂ, ପ୍ରେମ, ଧର୍ମର ଏକ ଅବିଚ୍ଛେଦ୍ୟ ଓ ଅନ୍ତର୍ନିହିତ ଅଙ୍ଗ। ଧର୍ମ ଯଦି ଗୋଟିଏ ପ୍ରାଣୀ ତେବେ ପ୍ରେମ ତାହାର ହୃତପିଣ୍ଡ । ଜଣଙ୍କର ଅଚଳ ତାରେ, ଆଉ ଜଣଙ୍କର ମୃତ୍ୟୁ ସୁନିଶ୍ଚିତ।
ଭାରତ ଅନେକ ଧର୍ମ, ଅନେକ ଧର୍ମ ଗ୍ରନ୍ଥ, ଅନେକ ଧର୍ମ ପୀଠର ଭୂଖଣ୍ଡ। ଅସମ୍ୱିଧାନିକ ଭାଷାରେ, ଭାରତ ସର୍ବ ବୃହତ୍ ହିନ୍ଦୁ ଦେଶ, ସର୍ବ ବୃହତ୍, ମୁସଲମାନ ଦେଶ, ସର୍ବ ବୃହତ୍ ଶିଖ ଓ ଜୈନ ଦେଶ। କିନ୍ତୁ ଭାରତ ସମ୍ବିଧାନ ଅନୁସାରେ ଏକ ଧର୍ମ ନିରପେକ୍ଷ ଦେଶ। ପ୍ରକୃତୀ ପୂଜକ ଯିଏକି ଉପରୋକ୍ତ ଧର୍ମରେ ନିଜକୁ ସାମିଲ କରନ୍ତି ନାହିଁ, ତାଙ୍କର ସଂଖ୍ୟା ଅନୁନ୍ୟ କୋଡ଼ିଏ ଶତକଡା। ଭାରତ ସର୍ବ ବୃହତ୍ ଇଂରାଜୀ ଭାଷା କହୁଥିବା ଦେଶ। ଭାରତର ସର୍ବ ବୃହର ସ୍ନାତକ ଡିଗ୍ରୀ ଧାରିଙ୍କ ଦେଶ। କିନ୍ତୁ ଧର୍ମ ଭିତ୍ତିକ ଅସହିଷ୍ଣୁତା ଓ ସେସମ୍ଭନ୍ଧିତ ଆଇନ ଗତ ପଞ୍ଜିକୃତ ସମସ୍ୟା ଗୁଡିକକୁ ଗଣିଲେ ମନେହୁଏ ଆମ ଦେଶରେ ଫୋଉଜ ଦାରୀ ଘଟଣା, ଅନ୍ୟ ଦେଶରୁ ଅଧିକ।
ଧର୍ମଭିତ୍ତିକ ରାଜନୀତି, ଭୋଟ ଦେବା ଓ ମାଗିବା ଅତି ସ୍ପଷ୍ଟ। ଖାଦ୍ୟ, ବସ୍ତ୍ର, ଶିକ୍ଷା, ବ୍ୟବସ୍ଥା, କାରୁ କାର୍ଯ୍ୟ, ରୀତି, ନୀତି, ପର୍ବ, ଧର୍ମର ଉପାଦାନ ଓ ତାହା ଧର୍ମ ଭିତ୍ତି ଭୂମି। ୧୯୪୭, ଭାରତର ସ୍ଵାଧୀନତା ଓ ୧୯୫୦ ସମ୍ବିଧାନ ପ୍ରଣୟନ, ଏସବୁ ଅୟୀତୀହାସିକ ଘଟଣା ପରେ, ନେତୃତ୍ୱ, କଳା, ସଙ୍ଗୀତ, ଇତିହାସରୁ ଶିକ୍ଷା, ସାହିତ୍ୟ, ଚଳଚିତ୍ର, ଶିକ୍ଷାର ଉନ୍ନତି ଇତ୍ୟାଦି, ସବୁ ଧର୍ମ ଜାତି ମଧ୍ୟରେ ଏକ ସମନ୍ୱୟ ସ୍ଥାପନର ସହାୟକ ହୋଇଥିଲା। ତାପରେ  ୧୯୯୨ ରୁ ବର୍ତ୍ତମାନର ସମୟ ଭିତରେ ଧର୍ମ ଭିତ୍ତିକ ଅସହିଷ୍ଣୁତା ଓ ରାଜନୀତି ଆମମାନଙ୍କ ମଧ୍ୟରେ ବହୁମାତ୍ରାରେ ଦେଖିବାକୁ ମିଳିଲା। ଏହା ପଞ୍ଜିକୃତ ଫୌଜଦାରୀ ମକଦ୍ଦମାରୁ ଜଣା ପଡ଼ୁଛି।
ଦେଶରେ ଶିକ୍ଷା ଓ ଶିକ୍ଷା ଅନୁଷ୍ଠାନର ସଂଖ୍ୟା ଓ ଆର୍ଥିକ ବିକାଶ ପାଇଁ ବିକଳ୍ପ ମାଧ୍ୟମ ଓ ଅନୁଷ୍ଠାନ ମାନଙ୍କର ସଂଖ୍ୟାରେ ଆମେ, ଦିନକୁ ଦିନ, ବହୁଳ ମାତ୍ରାରେ ବୃଦ୍ଧି ହାସଲ କରି ଚାଲିଛୁ। ଗ୍ରାଫ ଦେଖିଲେ ଲାଗୁଛି, ଶିକ୍ଷା ଓ ଆର୍ଥିକ ଉନ୍ନତି ଧର୍ମ ଭିତ୍ତିକ ଅସହିଷ୍ଣୁତା ସହିତ ସମାନୁପାତିକ ବା ପ୍ରୋପୋରସନେଟ୍ ଭିତ୍ତିରେ ବଢୁଛି। ଅସହିଷ୍ଣତା ବା ହିଂସା, ଶିକ୍ଷା ଓ ପ୍ରଗତିର ମାପକାଠି କେବେବି ନୁହେଁ। ଶିକ୍ଷା ଓ ପ୍ରଗତି ଧର୍ମ ଭିତ୍ତିକ ଯଦି ହୁଏ ଓ ଏହାର ଆନୁଷ୍ଠାନିକ ସ୍ଵୀକୃତି ଓ ସାମ୍ବିଧାନିକ ସ୍ଵୀକୃତି ଯଦି ରହି ଚାଲେ, କିଛି ଲୋକ ଅସହିଷ୍ନୁ ହେବା ସ୍ବଭାବିକ ଲାଗୁଛି। ଏହା ଏକ ବିତର୍କ ଏହାର ଶେଷ ନାହିଁ।
ପ୍ରଶ୍ନ ଉଠୁଛି, ମୁଁ କଣ ମୋର ଧର୍ମକର୍ମ, ସ୍ବାର୍ଥକୁ ନେଇ, ବାହ୍ୟ ଜଗତରେ ଗୋଟିଏ ପ୍ରକାର ଓ ଅନ୍ତର ଭିତରେ ଆଉ ଗୋଟିଏ ପ୍ରକାର କରୁଛି? ମୁଁ ମୋର ବ୍ୟବହାରରେ ପ୍ରେମ ନ କରି ଧର୍ମକୁ, କି ପ୍ରକାରେ ପରିପ୍ରକାଶ କରୁଛି?
ଭୌତିକ ବିଷୟ ପାଇ ଧର୍ମ ପରିବର୍ତନ ଓ ଭୌତିକ ବିଷୟ ଦେଇ ଧର୍ମ ପରିବର୍ତ୍ତନ ଯଦି ଚାଲିଛି, ଏପ୍ରକାର ସ୍ଥଳେ ସରକାର ଓ ଅସହିଷ୍ଣୁ ଦଳ ଭୌତିକ ବିଷୟ, ଅବିଳମ୍ବେ ଯୋଗାଇ ଦେଇ, ସମସ୍ତ ଦାରିଦ୍ର୍ୟ ରେଖା ତଳେ ଥିବା ବ୍ୟକ୍ତିଙ୍କୁ, ଯିଏକି ଧର୍ମ ପରିବର୍ତ୍ତନ ପ୍ରବଣ ଅଟନ୍ତି ବୋଲି ମନେ କରାଯାଉଛି, ସେମାନଙ୍କର ଯଥୋଚିତ୍ତ ବ୍ୟବସ୍ଥା ଅବିଳମ୍ବେ କରି ଧର୍ମ ପରିବର୍ତ୍ତନରେ ବ୍ରେକ ଦେଇ ପାରି ହେବ ଓ ତାହା ଅତି ଜରୁରୀ ଅଟେ ମନେ ହୁଏ।
ଭୋକ, ଉପାସ, ଦୁରା ରୋଗ, ସାଧାରଣ ଜୀବିକା ଇତ୍ୟାଦି ପାଇଁ, ନାନା ପ୍ରକାର ଅଭାବ ଘଟେ, ଅନେକ ମଣିଷକୁ ନୀତି ସହିତ ସାଲିସ ଓ ମନ ପରିବର୍ତ୍ତନ କରିବାକୁ ପଡେ, କିନ୍ତୁ ସେହି ସବୁ ପାଇଁ ଧର୍ମ ପରିବର୍ତ୍ତନ କରିବା କେତେଦୂର ସତ ତାହା ଆହୁରି ତର୍ଜମା ଓ ଅନୁସନ୍ଧାନ କରିବା ଆବଶ୍ୟକ।
ନୀତି ପରିବର୍ତ୍ତନ ବା ଧର୍ମ ପରିବର୍ତ୍ତନ ବାର ବାର ମଧ୍ୟ କରାଯାଇ ପାରେ, ନକରିବା ଅସମ୍ଭବ ନୁହେଁ। ବାର ବାର ମଧ୍ୟ, ଯିଏ ଅଭାବି, ଯିଏ ଅଭାବ ପାଇଁ ନୀତି ବା ଧର୍ମ ପରିବର୍ତ୍ତନ କରିଛି, ଆଉ ଥରେ ପରିବର୍ତ୍ତିତ ହୋଇ ପାରିବ।  କିନ୍ତୁ ପ୍ରେମ, ଦୟା, କ୍ଷମା, ବଳିଦାନ ତଥା ଭୌତିକ ସମ୍ପତ୍ତିର ବିତରଣରେ ଯଦି ନୀତି ଓ ଧର୍ମ ପରିବର୍ତନ କୁ ବଢାଇ ପାରୁଛି, କିମ୍ବା କମ କରିପାରୁଛି, ତାହାହେଲେ ଗରିବୀ ଦୂରୀକରଣ ପାଇଁ ସବୁ ଧର୍ମର ଧନୀ ଲୋକ ଆଗେଇ ଆସିବା ଉଚିତ୍। ଆମେ ସବୁ ଭାରତୀୟ, ଏଥିରେ ନିରାକାଷ୍ଠ ହୋଇ ଜରୁରୀ କାଳୀନ ଭିତ୍ତିରେ ଭୌତିକ ସୁରକ୍ଷା ଅଭାବିଙ୍କୁ ଯୋଗାଇ ଦେବା ଉଚିତ୍। ଏହା କଲେ ଅନୁମାନ କରାଯାଉଥିବା ଧର୍ମ ପରିବର୍ତ୍ତନକୁ ରୋକାଯାଇ ପାରିବ।
ଭାରତର ସମସ୍ୟା, ଆଜିର ତାରିଖରେ, ପରସ୍ପର ଭିତରେ ଧର୍ମ ଭିତ୍ତିକ୍ ଅସହିଷ୍ଣୁତା। ଯଦି କୌଣସି ଧର୍ମାବଲମ୍ବୀ ଭିତରେ ସବୁଠୁ ବେଶି ଗରିବ ଦେଖା ଯାଉଛି, ଧାର୍ମିକ ଓ ଧନୀ ବ୍ୟକ୍ତି ମାନେ ନିଜର ଭୌତିକ ସମ୍ପତ୍ତି ବଦାନ୍ୟ ଭାବରେ ବାଣ୍ଟିବା ଉଚିତ୍। ଆମେ ସମସ୍ତେ, ସେପ୍ରକାରେ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ଜୈନ, ହିନ୍ଦୁ ଇତ୍ୟାଦି, ନିଜ ନିଜ ଧର୍ମ ପାଇଁ ଯଥେଷ୍ଟ ବଦାନ୍ୟ ହୋଇ ଧନ ଓ ପ୍ରେମ ବାଣ୍ଟିବା ଉଚିତ୍। ବସ୍ତୁତ୍ଵ, ଏହା ସତ, ଆମେ ଆମର ଧର୍ମ ମାନଙ୍କରେ ପ୍ରେମକୁ ସମ୍ପୂର୍ଣ୍ଣ ବାଦ୍ ଦେଇ, ଧର୍ମ ଗ୍ରନ୍ଥ, ଧର୍ମର ଗୁରୁ, ବା ଧର୍ମର ଶିକ୍ଷକ, ବା  ଈଶ୍ଵର ବା ଗଡ୍ ବା ଆହ୍ଲା ବା ଈଶ୍ଵରଙ୍କୁ ବାଣ୍ଟୁଛୁ ଓ ପ୍ରଚାର କରୁଛୁ। ପୁଣି ଧର୍ମର ଭେକ, ଯାହାକି, ଧର୍ମ ପୀଠ, ଧର୍ମ ବେଶ, କଳା, ସ୍ଥାପତ୍ୟ ସାହିତ୍ୟ, ଖାଦ୍ୟ, ପରିଧାନ, ପର୍ବକୁ ଧରି ତାର ଇତିହାସକୁ ବଜାୟୀ ରଖିବାକୁ ଚେଷ୍ଟା କରୁଛୁ। ପ୍ରକୃତରେ ଆମେ ନିଜେ ସମସ୍ତେ ଧାର୍ମିକ, କିନ୍ତୁ ପ୍ରେମିକ ନୋହୁଁ।
ଧର୍ମ ଯଦି କ୍ଷୁଧା, ଉଲଙ୍ଗତା ଓ ଗୃହହୀନକୁ ଗୃହର ଅଭାବକୁ ରାତା ରାତି ସମାପ୍ତ କରି ପାରୁନାହିଁ, ତେବେ ଆମେ ହୁଏତ ବିଶ୍ଵ-ଗୁରୁ ଓ ବିଶ୍ୱର ବୃହତ୍ ଆର୍ଥିକ ଶକ୍ତି ଭାବରେ ମୁଣ୍ଡ ଟେକୁଛୁ, କିନ୍ତୁ ଏହା ସୁନିଶ୍ଚିତ ମନେହୁଏ, ଆମେ ସମ୍ମିଳିତ ଭାବରେ, ବିଶ୍ଵର ସର୍ବ ବୃହତ୍ ଅସହିସ୍ନୁ ଓ ପ୍ରେମ ବିହୁନ ସମାଜ ଅଟୁଁ। ଯେହେତୁ, ସବୁଠୁ ବେଶି ପଞ୍ଜିକୃତ ଧର୍ମ ଭିତ୍ତିକ ଫୌଜଦାରୀ ମକଦ୍ଦମାର ସଂଖ୍ୟା ଓ ଶିକାର, ଆମେ ହେଉଛୁ। ଏହାର ଉଦାହରଣ ଆମଠି ଅଧିକ। ଦାରିଦ୍ର୍ୟତାର ସୀମା ରେଖା ତଳେ ଥିବା ପଞ୍ଜିକୃତ ଜନତାଙ୍କ ସଂଖ୍ୟା, ଆମଠି ଅଧିକ। ପଞ୍ଜୀକୃତ ଧର୍ମ ଧାରୀ ନାଗରିକ ସଂଖ୍ୟା ମଧ୍ୟ ଆମଠି ଅଧିକ। ଆମ ଦେଶ ଉପରୋକ୍ତ ସୁଚାଙ୍କ ଗୁଡ଼ିକରେ ସବୁଠୁ ଉଚ୍ଚରେ।
ଧର୍ମରେ ପ୍ରେମ ଯୋଗ କଲେ ଆମେ ଅନ୍ୟ ଦେଶଠୁ ଅତି ଶୀଘ୍ର ଦାରିଦ୍ର୍ୟତା ଦୂର କରିପାରିବା। ଅନ୍ୟ ଅର୍ଥରେ ଆମ ଧର୍ମ ମାନଙ୍କରେ ଆମେ ଯାହାକୁ ପୂଜା କରୁଛୁ ଆମେ ସେହି ଧର୍ମ ମାନଙ୍କରେ ଈଶ୍ଵର, ଭଗବାନ ବା ଗଡ୍ କୁ ବାଦ୍ ଦେଉଛୁ, ତାଙ୍କୁ ଭୟ କରୁନାହୁଁ। ବରଂଚ, ଅନ୍ୟ କିଛି ମନ୍ଦ ଆତ୍ମା ରେ ଆମେ ସବୁ ଆକ୍ରାନ୍ତ। ଏହା ସବୁ ଧର୍ମ ନିର୍ବିଶେଷରେ କୁହା ଯାଇ ପାରେ। ଶେଷରେ ଆଉଥରେ କହିବା ଉଚିତ୍ ହେବ, ଧର୍ମ ଓ ପ୍ରେମ ପରିପୂରକ।

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
klddavid@rediffmail.com
୨୭/୦୨/୨୦୨୩


edit

No comments:

Post a Comment

Contact Here

Name

Email *

Message *