ଆଜିର ସଂସ୍କୃତିର ପୁରୋଧା, ମିଡ୍ଡିଲ ମ୍ୟାନ
Monday, March 13, 2023
ଆଜିର ସଂସ୍କୃତିର ପୁରୋଧା, ମିଡ୍ଡିଲ ମ୍ୟାନ
Labels:
https://www.pensofdavid.com/
--------
ସମାଜରେ ବିକାଶ ସମସ୍ତଙ୍କର ଇଚ୍ଛା। ସମସ୍ତଙ୍କର ବିକାଶରେ ସମାଜର ବିକାଶ। ଗାଁରେ ଜଣକର ଉନ୍ନତିରେ ସମସ୍ତେ ଉନ୍ନତି କରିପାରନ୍ତି ନାହିଁ। ଉନ୍ନତ ପରିବାରର ପୁଅ ଝିଅକୁ ଅଭିଭାବକ ମାନେ ସଂସ୍କୃତି, ସ୍ୱଚ୍ଛ ପରିମଳ ଓ ଉତ୍ତମ ଆଚରଣ ନିଶ୍ଚିତ କରିବା ପାଇଁ ନିଜକୁ ଅସାଧାରଣ ମନେକରି, ସାଧାରଣ ମାନଙ୍କ ସହିତ ମିଶିବା ପାଇଁ ଦିଅନ୍ତି ନାହିଁ, କିନ୍ତୁ ସେମାନଙ୍କୁ କେତେ କେତେ ବେଳେ ଓ କିଛିଦିନ ପାଇଁ ମିଶିବାକୁ ବାଧ୍ୟ ହେବାକୁ ମଧ୍ୟ ପଡେ। ଯଦିଓ ସବୁ ପରିସ୍ଥିତିରେ ନୁହଁ, ଅର୍ଥ, ଉପକରଣ ଓ ଆଧୁନିକତାରେ ସ୍ୱଚ୍ଛଳ ପରିବାର ଅନ୍ୟମାନଙ୍କୁ ହେୟ ଜ୍ଞାନ କରି ଅନ୍ୟ ମାନଙ୍କ ସହିତ ନ ମିଶିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି। କିନ୍ତୁ ପରସ୍ପରକୁ ନେଇ, ଆମେ ସମସ୍ତେ ଏକ ଘରକିଆ ହୋଇ ବଞ୍ଚି ପାରିବା ନାହିଁ।
ଭାରତରେ ଶିକ୍ଷା, ଚାକିରି, ଋଣ ଇତ୍ୟାଦିରେ ସ୍ଥାନ ସଂଗ୍ରକ୍ଷଣ ବ୍ୟବସ୍ଥା ରହିଛି। ଭଲ ମାର୍କ ରଖି ଜାତିଧର୍ମ ପାଇଁ ସ୍ଥାନ ଓ ସୁଯୋଗ ନ ପାଇବା ଓ ଆଖି ଆଗରେ ସ୍କୁଲ ଓ କଲେଜରେ କମ ମାର୍କ ରଖି ଶିକ୍ଷା ଓ ଚାକିରି ପାଇବା ଦେଖି, ଅନେକଙ୍କୁ ରାଜ ରାସ୍ତାକୁ ଓହ୍ଲାଇବାକୁ ଇଚ୍ଛା ହୁଏ। ଏପ୍ରକାର ଇଚ୍ଛା ଚରିତାର୍ଥ ନହୋଇ ପାରି, ଅନେକଙ୍କୁ ଜୀବନ ସାରା ମୁହଁ ଶୁଖାଇ ବଞ୍ଚିବାକୁ ପଡିଥାଏ। ଏହି ପରିସ୍ଥିତି ଅଭିଭାବକ ମାନଙ୍କୁ ଦେଖିବା ପାଇଁ ଆହୁରି ବହୁତ କଷ୍ଟ ଲାଗି ଥାଏ, ଦେଖିବି ହୁଏ ନାହିଁ । ଅପର ପକ୍ଷରେ, ବିନା ମେଧାବୀ ହୋଇ, ବିନା ଚାକିରି କରି, ବିନା ବ୍ୟବସାୟରେ, କିଛି ବ୍ୟକ୍ତି ଅଧିକ ଉପାର୍ଜନ କରନ୍ତି। ମେଧାବୀ, ପରିଶ୍ରମୀ ଓ ନୈତିକ ବ୍ୟକ୍ତି ପାଇଁ ତାହା, 'ରକ୍ତ ଚାଉଳ ଚୋବେଇବା' ପରି ଅନୁଭୂତି ଠାରୁ କିଛି କମ ନୁହେଁ।
ଦୁଇ ତିନି ଦଶନ୍ଧି ତଳେ ନୈତିକତା ଆମେ ଘରୁ, ଶ୍ରେଣୀରୁ ଓ ସାଧାରଣ ସମାଜରୁ ସିଖୁଥିଲୁ। ନୈତିକତା ଘର ଘରର ନୀତି ଥିଲା, କାମ, ଚାକିରି ଓ ବ୍ୟବସାୟ, ନୀତି ଓ ବିଚାର ଧାରାକୁ ନେଇ ଅବଲମ୍ବନ କରା ଯାଉଥିଲା। ଜୀବିକା ପାଇ କେଉଁ ପଦକ୍ଷେପ ନେବା ଉଚିତ୍ ସମସ୍ତେ ସ୍ପଷ୍ଟ ଭାବରେ ଜାଣିଥିଲେ। ପରିଜନ ଓ ସମାଜ ନୀତି ଓ ବିଚାର ଧାରାକୁ ଦେଖି ଆଦର କିମ୍ବା ହତାଦର କରୁଥିଲେ। ବିବାହ ଘର, ସମନ୍ଧ ଓ ବନ୍ଧୁତା, ନୀତି ଓ ବିଚାର ଧାରାକୁ ନେଇ ହେଉଥିଲା, ଆଜି ବି ହେଉଛି କିନ୍ତୁ ମନେ ହେଉଛି, ବହୁ ମାତ୍ରାରେ ଏହା କମି ଆସିଲାଣି ।
ଏବେ କିନ୍ତୁ ସମାନ ଚାକିରି ଓ ସମାନ ବ୍ୟବସାୟରେ ରହି, ଜାଲିଆତି କରି, କିଛି ଜଣ ଅଧିକ ଉପାର୍ଜନ କରନ୍ତି ଓ ଅଧିକ ଆରାମରେ ଚଳନ୍ତି। କେବଳ ଆସବାବ ପତ୍ରରେ ନୁହଁ, ପିଲାଙ୍କୁ ଭଲ ସ୍କୁଲ, କଲେଜ, ଟୁଇସନ୍ ଦେଇ ପଢ଼ାଇ ଥାଆନ୍ତି। ଭଲ ସ୍ବାସ୍ଥ୍ୟ ଓ ଚିକିତ୍ସା ନିଜେ ଓ ପରିବାର ପାଇ ଜୀବନକୁ ଉପଭୋଗ କରନ୍ତି। ପିଲାବି ଅଛନ୍ତି, ମେଧାବୀ ହୋଇ ଭଲ ସ୍କୁଲ, କଲେଜ, ଟୁଇସନ୍ ନପାଇ ଜୀବନର ସଂଗ୍ରାମରେ ପଛରେ ରହି ଯାଆନ୍ତି। କେତେକ, ଚିକିତ୍ସା ବିହୁନେ ରୁଗ୍ଣ ରହନ୍ତି। ବିବାହ, ପୁଣି ପରିବାର ଚଳାଇବା ସମୟରେ, ମେଧାବୀ ନହୋଇ ଭୋଗ ବିଳାସ ଓ ଉନ୍ନତ ମାନର ଶିକ୍ଷା, ସ୍ବାସ୍ଥ୍ୟ, ଉପକରଣ ଓ ଆକାଶ ଛୁଆଁ ବଡ ବଡ଼ କଥା ଓ ବଡ ବଡ଼ ସୁଯୋଗ ହାତେଇବା ଦେଖି, ନୀତିବାନ ବିଫଳ ବ୍ୟକ୍ତିଙ୍କୁ, ନିଜମନ ନବୁଝିଲେ ବି ବୁଝେଇ ନେବାକୁ ପଡେ। ବହୁତ୍ କମ୍ ଅଛନ୍ତି, ନିଜ ଚେଷ୍ଟାରେ ଉଚିତ୍ ଉପାୟରେ ବୁଦ୍ଧି ଓ ପରିଶ୍ରମରେ ସାଧାରଣ ଲକ୍ଷ୍ୟ ଗୁଡ଼ିକ ହାସଲ କରନ୍ତି। କିନ୍ତୁ ମନରେ ସେମାନଙ୍କ ଭିତରୁ ଅନେକ ଅନ୍ୟାୟ ଉପୟର ରୀତିମତ ବୃଦ୍ଧିରେ ଏର୍ଷା ଓ ଆବିଲତା ଭାବ ପୋଷଣ କରନ୍ତି। ବିବାହ, ବ୍ରତ, ସମାଧି କାର୍ଯ୍ୟରେ ରୁଣ୍ଡ ହେଲା ବେଳକୁ, ମୁଁହ ଗୁଡିକରୁ ଜାଣି ହୁଏ। ବ୍ୟତିକ୍ରମକୁ, ' କ୍ରମ ' ଅଟେ ଭାବି ନୂତନ ପିଢ଼ି ମାନି ନେଇ ସାରିଛନ୍ତି। ତାଙ୍କୁ ଏହି ଗର୍ତରୁ ଉଦ୍ଧାର କରିବ କିଏ ବା ଫେରାଇ ଆଣିବ କିଏ। ଜେଲ୍ ଓ କୋର୍ଟ ସଂଖ୍ୟା ଓ ପରିସର ସେଥି ପାଇଁବି ବଢ଼ି ଚାଲିଛି।
ଏହି ପରିବେଶରେ କିଛି ଲୋକ ନା ଶ୍ରେଣୀରେ ନା, ଚାକିରୀରେ ନା ବ୍ୟବସାୟରେ, ବିନାମେଧାବୀ ବା ବିନାପରିଶ୍ରମୀ ହୋଇ, ଅନୈତିକ ପନ୍ଥା ଅବଲମ୍ବନ କରି, ମାଲା ମାଲ ହୋଇ ଚାଲିଛନ୍ତି ଏବଂ ଏହି ପନ୍ଥା ଅବଲମ୍ବନ କରି ବଞ୍ଚିବା, ସମାଜରେ ଅତି ସାଧାରଣ ହୋଇ ଯାଇ ସାରିଛି।
ସେପ୍ରକାର ବ୍ୟକ୍ତି ମାନେ ସରକାର ସ୍ଵୀକୃତ ଚାକିରି ନୁହେଁ କି ସରକାର ସ୍ଵୀକୃତ ବ୍ୟବସାୟ କରନ୍ତି ନାହିଁ। ଚାକିରି ଓ ବ୍ୟବସାୟ ପାଇ, ସରକାରଙ୍କ ପାଖରେ କର ଦେବାକୁ ସେମାନଙ୍କୁ ପଡେ ନାହିଁ। ଧନ୍ଦା ପ୍ରାରମ୍ଭ କରିବା ପାଇଁ ସରକାରୀ କି ଅନ୍ୟ ବେସରକାରୀ ଅନୁଷ୍ଠାନ ବା କୌଣସି ବ୍ୟକ୍ତିକୁ ଲିଖିତ ଆବେଦନ, ସେମାନଙ୍କୁ କରିବାକୁ ପଡେ ନାହିଁ। ମୁହିଁ ମୁହଁରେ ତାଙ୍କ କାମ ଦିଆ ନୀୟା ହୋଇ ଜାଏ। ସେମାନଙ୍କ ପାଖରେ ବଦଳରେ ଅଧିକ ଆୟ, ଅଧିକ ଅବସର ସମୟ, ଅଧିକ ଧନ ଓ ଉନ୍ନତ ଉପକରଣ ଗୁଡିକ ଦେଖିବାକୁ ମିଳେ।
ଏପ୍ରକାର ଧନ୍ଦ୍ଦା ଗୁଡ଼ିକ ବିଶେଷ କରି କିଣା ବିକା ଓ ସେବା ଦେବାର ମିଡ୍ଡିଲ ମେନ କାମ। ସରକାରୀ କାମର ଲାଇସେନ୍ସ ଠିକାଦାର ତଳେ ଅନେକ ଯୁବକ ବିନା ରଫା, ଗଇତି, କୋଦାଳ, କମ୍ପ୍ୟୁଟର ବା କ୍ୟାଲକୁଲେଟର ଧରି ସେ ବହୁଳ ଆୟ କରନ୍ତି।
ଦୁଇ ତିନି ଦଶନ୍ଧି ତଳେ, କୌଣସି ଅଭିଭାବକ, ମୋର ପୁଅ କିମ୍ବା ଝିଅ ଏପ୍ରକାର ପନ୍ଥାରେ ଜୀବନ ବିତାଉ ବୋଲି ପିଲାଙ୍କୁ ପ୍ରସ୍ତୁତ କରୁନଥିଲେ କି ଭାବୁବିନଥିଲେ। ମିଡ୍ଡିଲ ମେନ କାମ ଯାହା ସରକାର ସ୍ଵୀକୃତି ଦେଇଛନ୍ତି ବା ଆମ ଦେଶ ମାନଙ୍କର ବ୍ୟବସ୍ଥାରେ ଅଛି, ତାହା ଜାଣିବାରେ ତାହା ହେଉଛି ଓକିଲାତି। ସେହି ଓକିଲ ମାନେ ପାଠ ପଢ଼ି, ଡିଗ୍ରୀ ଧରି, ଲାଇସେନ୍ସ ଆଣି, ବିଧିବଦ୍ଧ ଭାବରେ ବିଚାରପତି ମାନଙ୍କ ସମ୍ମୁଖରେ ମୁଦେଇ ବା ମୁଦଲା ପାଇଁ ମଧ୍ୟସ୍ତିର କାମ କରି ଥାଆନ୍ତି। କିନ୍ତୁ, କିଣା ବିକା, ବ୍ୟବସାୟରେ, ମୀଡିଲ ମେନ ରହନ୍ତି। ଯୁଗେ ଯୁଗେ ଏପରି ଚାଲି ଆସିଛି। ଏହାକୁ ସମାଜ ଓ ରାଷ୍ଟ୍ର ଗ୍ରହଣ କରି ନେଇଛି। ଏଥିରୁ ଅନେକ ମିଡ୍ଡିଲ ମ୍ୟାନ କାମ, ବିନା ଲାଇସେନ୍ସ ଓ ବିନା ଖଜଣା ଦେଇବି ହେଉଛି।
ଭାରତ ପରି ଜନ ବହୁଳ ଦେଶରେ, ଜନ ଗହଳିକୁ ଦେଖିଲେ, ଉପାର୍ଜନ ପନ୍ଥା, ବିରଳ। ଯେଉଁ ଆୟ ଓ ଉପାର୍ଜନର ମାଧ୍ୟମ, ପୋଲିସ ଦ୍ବାରା ବା ଆଇନ ଦ୍ଵାରା ଯଦି ବାଧା ଦିଆ ଯାଉ ନାହିଁ, ସେ ପ୍ରକାର ଉପାୟ ଗୁଡ଼ିକ ଖୋଜି, ଅନେକ ଯୁବକ, ଜୀବନ ସ୍ବଛନ୍ଦରେ କାଟିବା ପାଇ ବାଧ୍ୟ ହେଉଛନ୍ତି ଓ ବହୁ ମାତ୍ରାରେ ବସି ବସି ଆୟ ପାଇଁ ମିଡିଲ ମ୍ୟାନ ଧନ୍ଦା ପସନ୍ଦ ମଧ୍ୟ କରୁଛନ୍ତି। ତାଙ୍କ ଉପରେ ତାଙ୍କ ପରିବାର, ଅଭିଭାବକ ବି ଚୁପ୍, ଅନେକ ଗର୍ବ ବି କରନ୍ତି। ସେପ୍ରକାର ଗୋଷ୍ଠୀ, କିଛି ଦିନ ପରେ ବେକାରୀ ପୁଅ ଓ ଝିଅ ମାନଙ୍କୁ, ତଥା କମ ଦରମାର ଚାକିରିଆ ଓ କମ ଆୟର ବ୍ୟବସାୟୀଙ୍କୁ ହିନ ବା ଛୋଟ ମନେ କରୁଛନ୍ତି ।ସେପ୍ରକର ବ୍ୟକ୍ତି ବିଶେଷ, ଆୟର ବଳରେ, ଜାତି ଓ ସମାଜ ମାନଙ୍କର ଉଚ୍ଚ ପଦବୀ ଗୁଡିକରେ, 'କଳେ ବଳେ କୌଶଳେ' ଆସିନ ହେଉଛନ୍ତି, ଲୋକେବି ପରିସ୍ଥିତିରେ ପଡ଼ି ସାମାଜିକ କାମରେ ଅଶହଯୋଗ, ସରକାରୀ କାମରେ ଅସହଯୋଗ ବା ବିଳମ୍ବ ଇତ୍ୟାଦି ଦେଖି, ସେହି ମିଡ୍ଡିଲ ମ୍ୟାନ ଉପରେ କାମ ହାସଲ ପାଇଁ ବାଧ୍ୟ ହୋଇ ନିର୍ଭର କରୁଛନ୍ତି, ସ୍ଥାନ ସେମାନଙ୍କ ପାଇଁ ଛାଡ଼ି ଦେଉଛନ୍ତି। ଧର୍ମ ପୀଠ ମାନଙ୍କରେ ବି ସେ ଅବସ୍ଥା। 'ଦୁର୍ଜନ ସଙ୍ଗେ କଲେବାସ ନିଶ୍ଚେ ଘଟିବ ସର୍ବ ନାଶ' ଭାବି, ସରଳ ଲୋକେ ନିଜକୁ ଓହରାଇ ନେଇ କେମିତି ମୁକୁଲିବି ବା କାମ ସାରି ଦଲାଲ ମାନଙ୍କ ଠାରୁ ମୁକ୍ତି ହେବି, ସେହି ଉପାୟ ଅବଲମ୍ବନ କରୁଛନ୍ତି। ସେହି ପ୍ରକାରର ବହୁ ମିଡ୍ଡିଲ ମ୍ୟାନ ମାନେ ରାଜନୀତିରେ ମଧ୍ୟ ପଶି, ନେତୃତ୍ୱ ନେଇ, ସମାଜରେ, ପଞ୍ଚାୟତ ଓ ସରକାରୀ ଓ ବେସରକାରୀ କମିଟି ମାନଙ୍କର ପଦରେ ରହି ନିଷ୍ପତି ନେଇ ନିଷ୍ପତିକୁ ପ୍ରଭାବିତ କରି ଜନ ଗଣର ଆଦର୍ଶବାଦି ସଭ୍ୟତା ଓ ସଂସ୍କୃତିକୁ ନଷ୍ଟ କରୁଛନ୍ତି। ସ୍ଵାଭିମାନୀ ଲୋକଙ୍କ ନୀତିକୁ ପାଦ ଦଳିତ କରୁଛନ୍ତି। ଅନ୍ୟ ପାଇ ବିଭିନ୍ନ ସ୍ଥାନରେ ଠିଆ ହୋଇ ଯାହା ଓକିଲ କରି ପାରନ୍ତି ନାହିଁ ତାହା ସେମନେ ଠିଆ ହୋଇ କରିଦେଉଛନ୍ତି।
'ନେଇ ଆଣି, ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ', ଏହି ନୀତିରେ ମିଡ଼ିଲ ମ୍ୟାନ ମାନଙ୍କର କାରବାର ଚାଲିଛି, ପୋଲିସ, ଆଇନ ଯିବି ଓ ବିଚାର ପତିବି ତାଙ୍କ ଶରଣାପନ୍ନ ମନେ ହେଉଛି। ନୀତି ଓ ଅନିତିର ବିଚାର ଯାହା ଘରୁ ଓ ଶ୍ରେଣୀରୁ ପିଲା ଶିଖୁଥିଲେ, ଆଜିର ବାପା ଓ ମାଁ, ଶିକ୍ଷକ ଓ ଶିକ୍ଷୟତ୍ରୀ ସାର୍ବଜାନିନ ଜୀବନରେ ଅନ୍ୟାୟର ଶିକାର ହୋଇ, ପିଲାଙ୍କୁ କେଉଁ ଶିକ୍ଷା ଦେବେ ଜାଣି ପାରୁନାହାନ୍ତି। ପିଲାଙ୍କର ଭାବି-ଆର୍ଥିକ ଅସୁରକ୍ଷା ପାଇଁ ପିତା ଓ ମାତାଙ୍କୁ ନୀତି ଓ ରୁଚି ସହିତ ସାଲିସ କରିବା ପାଇଁ, ଏପରି ଅନୈତିକ ଉଦାହରଣ ଗୁଡ଼ିକ, ବାଧ୍ୟ କରୁଛି। ଗାଁର ଛୋଟ କିଣା ବିକା ଓ ସେବା ଠୁ ଆରମ୍ଭ କରି ଦିଲ୍ଲୀ ଯାଏଁ ବିଭିନ୍ନ ସେବା ଓ କିଣା ବିକାରେ ମଧ୍ୟସ୍ଥି ର ସାହାଯ୍ୟ ନେବା ଓ ପାଉଣା ଦେବା ରୀତିମତ ଚାଲିଛି। ତାଙ୍କର ଦାମ ସରକାର ଧାର୍ଯ୍ୟ କରନ୍ତି ନାହିଁ କି ସରକାର ଜାଣନ୍ତି ନାହିଁ। ଯେଉଁ ମାନଙ୍କୁ ଏଜେଣ୍ଟ ବୋଲି କୁହା ଯାଉଛି ସେମାନଙ୍କ ଭିତରୁ ଅନେକ ବିନା କୌଣସି ଆନୁଷ୍ଠାନିକ ନିଯୁକ୍ତି ପାଇ, ଏଯେଣ୍ଟ ଅଟନ୍ତି।
ଏପରି ଉପାର୍ଜନରେ ଓ ଉନ୍ନତିରେ ନିଜକୁ ସାମିଲ ନକରିବା ପାଇଁ ଓ ଆୟ ପାଇଁ ପ୍ରତିଯୋଗିତା ଓ ଅନୈତିକ ଉପାୟରେ ଅତ୍ୟଧିକ ଉପାର୍ଜନ କରିବାପାଇଁ, ଅଧୈର୍ଯ୍ୟ ନହୋଇ, ପରିବାର ଓ ବିଦ୍ୟାଳୟ ଶ୍ରେଣୀର କର୍ଣ୍ଣଧାର ମାନଙ୍କୁ ସଞ୍ଜମତା ରକ୍ଷା କରିବାକୁ, ଧର୍ଯ୍ୟ ଧରି ରୀତିମତ ଶିକ୍ଷା ଦେବାକୁ ହେବ। ସରକାର ଛୋଟ କର୍ମଚାରୀ ଓ ଛୋଟ ବ୍ୟବସାୟୀ ପ୍ରତି ବିଭିନ୍ନ ସୁବିଧା ଗୁଡ଼ିକ ଯୋଗାଇ ଦେବା ପାଇ ଅନୁସନ୍ଧାନ କରି ଯଥୋଚିତ ଉଦାର ହେବାକୁ ହେବ।
ଆଜିର ଭାରତର ବଜାର ଓ ସମାଜ ଅଣ ଲାଇସେନ୍ସ ଧାରି ମିଡ୍ଡିଲ ମେନ, ବା ଦଲାଲ, ବା ଏଜେଣ୍ଟ ସାମ୍ନାରେ ନତ ମସ୍ତକ। ଓକିଲ, ବିଚାରପତି, ଉଚ୍ଚ ପ୍ରଶାସକ, ବେପାରି ବା ଯେକୌଣସି ଚାକିରିଆ ଇତ୍ୟାଦି, ଶିକ୍ଷା, ସ୍ବାସ୍ଥ୍ୟ, ଖାଉଟି ଦ୍ରବ୍ୟ, ଘର, ଡିହ, ବାଡ଼ି, ଯାତ୍ରା, ଦାଦନ କାମ ଇତ୍ୟାଦି ପାଇ ମିଡ୍ଡିଲ ମେନ ସାମ୍ନାରେ ନତ ମସ୍ତକ। ଏହି ମିଡ୍ଡିଲେ ମ୍ୟାନ ମାନଙ୍କ ମଧ୍ୟରୁ ଅନେକ ଅଣ ଲାଇସେନ୍ସ ପ୍ରାପ୍ତ। ଏହି ମଧ୍ୟସ୍ଥ ବ୍ୟକ୍ତିମାନଙ୍କଠୁ ମୁକ୍ତି ପାଇଁ ଆଜି ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି। ପିଲା ଦିନୁ ଜାଣୁଥିଲୁ, ଏଜେଣ୍ଟ ବା ଦଲାଲ ଦେହ ବ୍ୟବସାୟ ବୃତ୍ତିରେ ପ୍ରାୟତଃ ଥିଲା, ଏହା ଭଦ୍ର ଓ ଅଭଦ୍ର ଉଭୟେ ଜାଣୁ ଥିଲେ ଓ ଘୃଣା କରୁ ଥିଲେ। ଆଜି ସକାଳୁ ସକାଳୁ ସମସ୍ତଙ୍କର ଲାଇସେନ୍ସ ବିହୀନ ବା ନିଯୁକ୍ତି ବିହୀନ ଏଜେଣ୍ଟ ବା ଦଲାଲମାନଙ୍କ ସହ ମୁହାଁ ମୁହିଁ ବା ସମ୍ମୁଖୀନ ହେବାକୁ ପଡୁଛି।
ସକାଳୁ ପନିପରିବା କିଣିବାଠୁ ଆରମ୍ଭ କରି, ରାତିରେ ସୋଇ ଥିବା ଘରର ଛାତ ଓ ପଡ଼ିଥିବା ଖଟର ଭୂଖଣ୍ଡ, ମଧ୍ୟସ୍ତି ବିନା ହେଉନାହିଁ। ସର୍ବ ସାଧାରଣଙ୍କ ଦୃଷ୍ଟି ସରକାରୀ ଦପ୍ତର, ବିଧାନ ସଭା ଓ ସଂସଦ ଉପରେ ଯେତିକି ନାହିଁ, ଏକ ବକ୍ର ଦୃଷ୍ଟି, ମଧ୍ୟସ୍ଥ ବ୍ୟକ୍ତିମାନଙ୍କ ଉପରେ ସମସ୍ତଙ୍କର ରହିଛି। ସରକାର ଏହାକୁ ଯେତେ ଦିନ ଉପେକ୍ଷା କରିବେ, କଳା ଧନ ଓ ଅନ୍ୟାର ଶିକାର ଦେଶ ଓ ଆମେ, ସର୍ବ ସାଧାରଣ ସେତେ ଦିନ ହେଉ ଥିବା, ଆଉ ସମାଜର ସଂସ୍କୃତି ଓ ନୀତି ଦିନକୁ ଦିନ ସେତେ ଅନୈତିକ ପ୍ରତିଯୋଗିତା ପାଇଁ ଅବନତି ଆଡ଼କୁ ଯାଉଥିବ। ମଧ୍ୟସ୍ତି ଧନ୍ଦା ଓ ମଧ୍ୟସ୍ତି ବ୍ୟକ୍ତିମାନଙ୍କ ଉପରେ ସରକାର ବିଧିବଦ୍ଧ ଭାବରେ ଗବେଷଣା କରି ଏହାର ଉଚ୍ଛେଦ ଯୋଜନା ଓ ଆଇନ ସଂଗତ କାର୍ଯ୍ୟପନ୍ଥା ଅବଲମ୍ବନ ନକଲେ ଦେଶର ସାଧାରଣ ଜୀବନ ଓ ଜୀବିକା ସଂସ୍କୃତି, ସବୁ କ୍ଷେତ୍ରରେ, ଖରାପ ହୋଇ କୁପରିଣତି ଭୋଗୁ କରୁଥିବ ଓ ପିଲା ଜନ୍ମଠୁ ଆରମ୍ଭ କରି ଶ୍ମଶାନ ଯାଏ ଦଲାଲ ବା ଏଜେଣ୍ଟ ବା ମଧ୍ୟସ୍ତ ବ୍ୟକ୍ତି ମାଧ୍ୟମରେ ହିଁ କାମ କରାଉ ଥିବେ। ଅତି ଦୁଃଖର ବିଷୟ, ରାଜନୀତି ଓ ଗଣତନ୍ତ୍ରର ପବିତ୍ର ' ପର୍ବ ' ଓ ' ପ୍ରକ୍ରିୟା ' ନିର୍ବାଚନ ' ମଧ୍ୟ, ଏହି ମଧ୍ୟସ୍ଥି, ଦଲାଲ, ମିଡଲ ମେନ ଓ ଏଜେଣ୍ଟରୁ ବାଦ ପଡ଼ି ନାହିଁ, ଏହା ଗ୍ରହଣ କରି ହେଉ ନାହିଁ। ପ୍ରଶ୍ନ ଜୀବନ ଓ ଜୀବିକା କାହାଠୁ ଶିଖିବା?
ଡୁଇଟ ଡେଭିଡ ଫୀଲିପ
ଚାଇବସା, ଝାଡ଼ଖଣ୍ଡ
ଫୋନ:୯୪୩୭୧୦୪୩୦୩
klddavid@rediffmail.com
edit
No comments:
Post a Comment