ପେଣ୍ଟିକଷ୍ଟାଲ୍ ପ୍ରଚାରକ ମାନଙ୍କର ଗୋଟିଏ କଥା
Wednesday, June 17, 2026
ପେଣ୍ଟିକଷ୍ଟାଲ୍ ପ୍ରଚାରକ ମାନଙ୍କର ଗୋଟିଏ କଥା
-----------------
ସାଧାରଣତଃ ପେଣ୍ଟିକଷ୍ଟାଲ୍ ପ୍ରଚାରକ ମାନଙ୍କର ଗୋଟିଏ କଥା, "ତୁମେ ପବିତ୍ର ଆତ୍ମା ପାଇ ନାହଁ, ମୁଁ ଓ ମୋର ମଣ୍ଡଳୀ, ଆମେ ପବିତ୍ର ଆତ୍ମା ପାଇଛୁ" । ଏହି ଉକ୍ତି ଯଦି ସତ, ତାହାହେଲେ ପବିତ୍ର ଆତ୍ମା ପ୍ରାପ୍ତିର ଫଳ କଣ? ପ୍ରେମ, ଆନନ୍ଦ, ଶାନ୍ତି, ଧର୍ଯ୍ୟ, ଦୟା, ଉତ୍ତମତା, ବିଶ୍ଵସ୍ତତା, ଭଦ୍ରତା, ଆତ୍ମ ସଞ୍ଜମ।
ବାଃ, ମୋଠି ତ ଏସବୁ ଅଛି, ଆଉ ବେଳେ ବେଳେ ଲାଗେ ମୋଠି ଏସବୁ ତ ନାହିଁ ! କିମ୍ବା ଲାଗେ, ଏସବୁ ମୋ ଭିତରକୁ ଆସେ ଆଉ ଯାଏ ! ଚିର ସ୍ଥାୟୀ ହୋଇ ରହି ପାରେ ନାହିଁ ! ତାହା ହେଲେ କଣ କହିବା, "ମୁଁ କଣ ପବିତ୍ର ଆତ୍ମା ପାଇ ନାହିଁ"? ।
ଏହି ପ୍ରଶ୍ନ ଯେତେବେଳେ ଆମ ସମ୍ମୁଖକୁ ଆସେ, ପେଣ୍ଟିକଷ୍ଟାଲ୍ ମଣ୍ଡଳୀର ସଦସ୍ୟ ହୋଇବି, ସଦସ୍ୟଙ୍କ ମନ ଊଣା ହୋଇ ଯାଏ ଓ ତାପରେ ପେଣ୍ଟିକଷ୍ଟାଲ୍ ପ୍ରଚାରକକ ତୁମେ ଆତ୍ମା ପାଇ ନାହ କହି ଏକ ମନସ୍ତାତ୍ତ୍ୱିକ ଦୁର୍ବଳତା ସୃଷ୍ଟି କରି ଶ୍ରୋତା ମାନଙ୍କୁ ମନ ଆତ୍ମାରେ ହିନ ମନ୍ୟତା ସୃଷ୍ଟି କରିଦେଇ, ନିଜର ଆଧିପତ୍ୟ ଉପନିବେଶ ବାଦି ପରି ଆତ୍ମିକ ଉପନିବେଶ ବିସ୍ତାର କରିବା ଆରମ୍ଭ କରିଦିଅନ୍ତି।
ସାଧାରଣ ବିଶ୍ବାସୀ, ରୋଗରୁ ସୁସ୍ଥ ହେବା ପାଇଁ, ଅଭାବରୁ ଜାତ କୁସ୍ଵଭାବରୁ ବାହାରିବା ପାଇଁ, ଚାକ ଚକ୍ୟ ଯୁଗର ଆଶାତୀତ ଆରାମ ଦାୟକ ବସ୍ତୁ ପାଇ ନ ପାରି, ନିଜ ପାଇଁ ଓ ନିଜ ପରିବାର ପାଇଁ, ନିଜ ଭିତରର ଦୁର୍ବଳତା ଗୁଡ଼ିକୁ ଦୋଷୀ କରାଏ। ସେ ଭାବେ ମୁଁ ଆତ୍ମା ପାଇ ନାହିଁ, ଏବଂ ତେଣୁ ମୁଁ ଏ ସବୁ ସମସ୍ୟା ଘେରରୁ ବାହାରି ପାରି ନାହିଁ ଓ ତେଣୁ ଜାଗତିକ ସଫଳତା ଗୁଡ଼ିକ ପାଇପାରୁ ନାହିଁ ଓ ସମସ୍ୟା ଘେରରେ ରହୁଅଛି।
ସମସ୍ୟା, ପୃଥିବୀରେ ସବୁବେଳେ ସମସ୍ତଙ୍କର ଅଛି ଓ ରହିବ। ଆତ୍ମାଙ୍କ ସାହାଯ୍ୟରେ ପ୍ରେମ, ଆନନ୍ଦ, ଶାନ୍ତି, ଧର୍ଯ୍ୟ, ଦୟା, ଉତ୍ତମତା, ବିଶ୍ଵସ୍ତତା, ଭଦ୍ରତା, ଆତ୍ମ ସଞ୍ଜମତା, ନିଜ ଦୃଷ୍ଟିରେ ଭଲ ହେବା ପାଇଁ, ଅଭ୍ୟାସ କରିବାକୁ ହୁଏ।
ଯୀଶୁଙ୍କୁ ଯେ ପ୍ରଭୁ ବୋଲି ସ୍ବୀକାର କରିଛି ଓ କରୁଛି, ସେ ଆତ୍ମା ପାଇଛି। ଶୟତାନ ଜାଣେ ଓ ସ୍ବୀକାର କରେ, କିନ୍ତୁ ଯୀଶୁଙ୍କୁ ଅନୁସରଣ କରେ ନାହିଁ। ଆମେ ଯେତେ ଜଣ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ବୀକାର କରୁଛୁ, ତାଙ୍କଠୁ ଆତ୍ମା ମଧ୍ୟ ପାଇଛୁ ଓ ଯୀଶୁଙ୍କୁ ଅନୁସରଣ କରୁଛୁ, ଯଦିଓ ଥରେ ବା ଅନେକ ଥର ପାପ ରେ ପଡ଼ି ଯାଉଛୁ।
କହିଲେ ଭୁଲ ହେବ ନାହିଁ, ଅନେକ ବିଶ୍ବାସୀ ୨୪x୭ ଦିନ, ପବିତ୍ର ଆତ୍ମଙ୍କ ଦ୍ଵାରା ପରିଚାଳିତ ହୋଇ ପାରନ୍ତି ନାହିଁ। ଏହା ଜଗତକୁ ଧରି, ଆତ୍ମାଙ୍କ ଦ୍ଵାରା ଚାଳିତ ହେବା, ବ୍ୟାୟାମ ପରି ଅଭ୍ୟାସ ନକଲେ ସମ୍ଭବ ହୋଇ ପାରୁ ନାହିଁ, କିନ୍ତୁ ଆମେ ସମସ୍ତେ ଏହି ଆତ୍ମିକ ଯାତ୍ରାରେ ଅଛୁ।
ବାପ୍ତିଜକ ଯୋହନ, ଯୀଶୁଙ୍କୁ ପଚାରି ପଠାଇଲେ, "ଆପଣ ସେହି, ନା ଆମେ ଆଉ କାହାକୁ ଅପେକ୍ଷା କରିବୁ" ? ପବିତ୍ର ଆତ୍ମା କଣ ୨୪x୭ ଦିନ ଯୋହନଙ୍କୁ ପରିଚାଳନା ଦେଉନଥିଲେ। ସେ ବି ତ ଆତ୍ମାରେ ଯାତ୍ରା କରୁ ଥିଲେ।
ଯୀଶୁ, ପାଉଲ, ଶିଷ୍ୟ ମାନେ ଓ ବାଇବଲର ଅନେକ ବ୍ୟକ୍ତି ମାନେ, ଆତ୍ମାଙ୍କ ଦ୍ଵାରା କ୍ଷାନ୍ତ ହେଉଥିଲେ କିମ୍ବା, ଆତ୍ମାଙ୍କ ଦ୍ଵାରା ପରିଚାଳିତ ହୋଇ ସେମାନେ କାର୍ଯ୍ୟ କରୁଥିଲେ। ସେମାନେ ଆତ୍ମାଙ୍କ ଦ୍ଵାରା, ଭାବୁଥିଲେ ଓ ବଞ୍ଚୁ ଥିଲେ। ଆଜି ଆମ ଗହଣରେ କେତେ ଜଣ ଯୀଶୁ, ପାଉଲ, ସୀମୀୟନ୍, ହାନ୍ନା, ମରୀୟମ, ଯୋସେଫ, ଯିଖରୀୟ, ଏଲିଯାବେଥ ପରି, ୨୪x୭ ଦିନ ଓ ସମୟ ଆତ୍ମାଙ୍କ ଦ୍ଵାରା ପରିଚାଳିତ ହୋଇ ବଞ୍ଚିଛୁ ଓ ବଞ୍ଚୁଛୁ। ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ଚାପ ଆମକୁ ୨୪x୭ ଦିନ, ଆତ୍ମାଙ୍କ ଉପସ୍ଥିତିରେ ବଞ୍ଚିବାକୁ ଦିଏନାହିଁ, କିନ୍ତୁ ଆମେ ଆତ୍ମିକ ଯାତ୍ରା କରୁଛୁ। ଆମେ ଆତ୍ମିକ ଜୟ ପାଇଁ ସଙ୍ଘର୍ଷ କରିଚାଲିଛୁ। ଯେବେ ହାରି ଯାଉଛୁ, ଯୀଶୁ ଉଠାଉଛନ୍ତି ଓ ଇଶ୍ୱରଙ୍କ ପାଖରେ ଆମ ପାଇଁ ନିବେଦନ କରୁଛନ୍ତି। ଆମେ କ୍ଷମା ମାଗି, ଆତ୍ମାଙ୍କ ସାମର୍ଥ୍ୟ ପାଇ ଓ ପାଇଁ, ପ୍ରାର୍ଥନା କରି ଚାଲୁଛୁ।
ବିଶ୍ବାସୀ ବାକ୍ୟ ଓ ଆତ୍ମା ପାଇଲା ପରେ, ଯୀଶୁଙ୍କୁ ପ୍ରଭୁ ବୋଲି ସ୍ବୀକାର କରେ, ମନରେ କିମ୍ବା ପାଣିରେ ବାପ୍ତିସ୍ମ ନିଏ, ଅଗ୍ନିର ବାପ୍ତିସ୍ମ ପାଇ, ପାପ ମୁକ୍ତ ହୋଇ ଚାଲେ। ସୁଦ୍ଧ ଓ ପବିତ୍ର ଜୀବନ ପାଇଁ ଚେଷ୍ଟା କରେ। ଯୀଶୁଙ୍କ ପରି ପରୀକ୍ଷିତ ହୋଇ ଚାଲେ। ବାକ୍ୟ ଓ ଆତ୍ମା ହିଁ ପବିତ୍ର ଓ ସୁଦ୍ଧକାରୀ ଅଗ୍ନି ଅଟନ୍ତି। ବିଶ୍ଵାସୀର ଅହରହ ବାକ୍ୟ ଅଧ୍ୟୟନ, ପ୍ରାର୍ଥନା, ଓ ଧର୍ମ ଜୀବନ ଅଭ୍ୟାସରେ ପରିଣତ ହୋଇ, ଆନ୍ତରିକ ପୁରୁଷ, ଯୀଶୁଙ୍କ ପ୍ରତିମୂର୍ତ୍ତୀରେ, ମଣିଷକୁ ଆତ୍ମାରେ ପ୍ରତୀୟମାନ କରାଇ ଚାଲେ।
ଆତ୍ମା ବିଶ୍ୱାସୀ ଠାରେ ପ୍ରତୀୟମାନ ହୋଇ ଚାଲିବାର ପ୍ରକ୍ରିୟା କାହାପାଇଁ ନିରନ୍ତର ଓ କ୍ଷୀପ୍ର ଓ କାହା ପାଇଁ ଧିର। ଆତ୍ମାଙ୍କ ଦ୍ଵାରା ବାପ୍ତିସ୍ମ ଏକ ଅହରହ ପ୍ରକ୍ରିୟା, ଏହା ଥରେ ପାଣିରେ ବାପ୍ତିସ୍ମା ନେଇ ଗଲେ ସରେ ନାହିଁ।
କିନ୍ତୁ ଯେ ବିଶ୍ଵାସରେ ମୃତ ହୋଇ ଯାଏ, ଆତ୍ମାଙ୍କୁ ନିରନ୍ତର ଉପେକ୍ଷା କରେ, ତାର ଜୀବନରେ ଆତ୍ମା ଆଉ କାର୍ଯ୍ୟ ସାଧନ କରନ୍ତି ନାହିଁ। ହୋଇ ପାରେ ଅନୁଗ୍ରହରେ ସେ ଆଉଥରେ ଗଞ୍ଜଣା ପାଇ ପାରେ ।
ତେବେ ପେଣ୍ଟିକଷ୍ଟାଲ୍ ପ୍ରଚାରକ ମାନଙ୍କର ଯେଉଁ କଥା: "ତୁମେ ପବିତ୍ର ଆତ୍ମା" ପାଇ ନାହଁ "ମୁଁ ଓ ମୋର ମଣ୍ଡଳୀ, ଆମେ ପବିତ୍ର ଆତ୍ମା ପାଇଛୁ", ଏହି ଉକ୍ତି କିପରି ସତ ଅଟେ?
ଆସନ୍ତୁ, ପ୍ରତ୍ୟେକଟି ଆତ୍ମାଙ୍କ ଫଳ ବା ଉପାଦାନ ଗୁଡିକ (ପ୍ରେମ, ଆନନ୍ଦ, ଶାନ୍ତି, ଧର୍ଯ୍ୟ, ଦୟା, ଉତ୍ତମତା, ବିଶ୍ଵସ୍ତତତା, ଭଦ୍ରତା, ଆତ୍ମ ସଞ୍ଜମ) କୁ ଏହି ସନ୍ଦର୍ଭରେ ଆଲୋଚନା କରିବା।
ପ୍ରେମ: ମୁଁ ମୋର ଶତ୍ରୁ ତଥା ମିତ୍ରଙ୍କୁ ଅନବରତ ପ୍ରେମ ଯଦି କରୁଛି, କ୍ଷମା ଦେଉଛି, ମିଳନରେ ରହୁଛି, ତାଙ୍କ ସୁଖ ଦୁଃଖରେ ଭାଗୀ ହେଉଛି, ତାଙ୍କ ପାଇଁ, ସମୟ, ଆୟ ଓ ପାଇଥିବା ସମ୍ପଦ, ଯୀଶୁଙ୍କ ଆଦେଶ ଅନୁଯାଇ ବ୍ୟୟ କରୁଛି, ହୁଏତ ମୁଁ ପ୍ରେମ କରୁଛି। ପ୍ରେମ ଶତ୍ରୁ ଓ ମିତ୍ର ଉଭୟଙ୍କ ପାଇଁ ବଳି ହେବା ପାଇଁ ଅହରହ ପ୍ରସ୍ତୁତ ରଖେ।
ଆନନ୍ଦ: ମୁଁ କ'ଣ ଅନ୍ୟର ସଫଳତାରେ ଆନନ୍ଦ କରିପାରୁଛି? ମୁଁ କ'ଣ କେବଳ ମୋ ସଫଳତାରେ ଖୁସି। ଯଦି ନୁହେଁ ଓ ଅନବରତ ଓ ସ୍ଵତପବୃତ ଅନ୍ୟର ସଫଳତାରେ ଆନନ୍ଦ ନକରି ଈର୍ଷା କରୁଛି, ତାହା ହେଲେ ମୁଁ କଣ ଆତ୍ମାଙ୍କ ଦ୍ଵାରା ପରିଚାଳିତ? କେବେ ନୁହେଁ।
ଶାନ୍ତି: ମୋ ଆତ୍ମାରେ ମୁଁ କଣ ୨୪x ୭ ଦିନ ଶାନ୍ତିରେ ଅଛି। ଅନ୍ୟାୟ, ଯୁଦ୍ଧ, ଅତ୍ୟାଚାର, ଆକ୍ରମଣ ମୋତେ କଣ ଶାନ୍ତି ଦେଉଛି। ମୁଁ କେତେ ଜଣଙ୍କର ଶାନ୍ତି ଓ ଅଶାନ୍ତିର କାରଣ ହେଉଛି। ଯଦି ମୁଁ ନିଜେ ହିଁ ଅନ୍ୟର ଅଶାନ୍ତିର ସ୍ରୋତ, ତାହାହେଲେ ମୁଁ ବା କିପରି ଆତ୍ମାଙ୍କ ଦ୍ଵାରା ପରିଚାଳିତ?
ଧର୍ଯ୍ୟ: ବିଫଳତା ପାଇଁ, ବିଳମ୍ବ ପାଇଁ, ଧର୍ଯ୍ୟହରା ହେବା ୨୪x ୭ ଦିନ ସମ୍ଭବ ହୁଏ ନାହିଁ। ତହସିଲ ଅଫିସ୍, ଅଦାଲତ, ବସ୍ ଓ ଟ୍ରେନ୍, ଚାକିରି, ଜୀବନ ସାଥି ପାଇଁ ଅପେକ୍ଷା, ଇତ୍ୟାଦି ଧର୍ଯ୍ୟ ହରା କରୁ ନାହିତ? ଧର୍ଯ୍ୟ ହରା ବ୍ୟକ୍ତି ଆତ୍ମିକ ଭାବରେ ସର୍ବଦା ପରିଚାଳିତ ନୁହେଁ। ସେ ଧର୍ଯ୍ୟ ହରାଇବ ନାହିଁ।
ଉତ୍ତମତା: ନିଜକୁ ଅନ୍ୟ ଠାରୁ ଶ୍ରେଷ୍ଠ ମନେକର ନାହିଁ। ମଣିଷର ଏକ ଭାବନା, "ଜଗତରେ ମୁଁ ତ କୌଣଷି ନା କୌଣଷି ବ୍ୟକ୍ତି ଠୁଁ ଶ୍ରେଷ୍ଠ। ମଣିଷ ସାଧାରଣତଃ, ଅନ୍ୟ ସହିତ ନିଜକୁ ଓ ନିଜର ଭୌତିକ ସ୍ଥିତିକୁ ତୁଳନା କରି ଆତ୍ମ ସନ୍ତୋଷ କିମ୍ବା ଅସନ୍ତୋଷ ଅନୁଭବ କରେ। ଉତମତ୍ତା, ନିଜ ଆଖିରେ ଦେଖା ଯିବା ଅପେକ୍ଷା ଅନ୍ୟ ଆଖିରେ ଦେଖା ଯିବା ଉଚିତ୍। ଆମର ସ୍ତ୍ରୀ ବା ସ୍ବାମୀ, କିମ୍ବା ଆମର ପିତା ଓ ମାତା, କିମ୍ବା ଆମର ସନ୍ତାନ, କିମ୍ବା ଆମର ଅଭିଭାବକ, କିମ୍ବା ଆମର ଅଧିନସ୍ତ ଆମର ଉତ୍ତମତାର ସଠିକ୍ ବିଚାରକ ଅଟନ୍ତି। ଏଥିରେ କି ଆମେ ଊଣା ପଡୁ ନାହୁଁ?
ବିଶ୍ଵସ୍ତତା: ପରସ୍ପର ପାଖରେ ଆମେ କେତେ ବିଶ୍ଵସ୍ତ। ସ୍ତ୍ରୀ ପୁରୁଷ ପାଖରେ ଓ ପୁରୁଷ ସ୍ତ୍ରୀ ପାଖରେ, ସନ୍ତାନ ପିତା ଓ ମାତା ପାଖରେ, ପିତା ଓ ମାତା ସନ୍ତାନ ପାଖରେ, ଅନୁଷ୍ଠାନ, ସମାଜ, ମଣ୍ଡଳୀ, ରାଷ୍ଟ୍ର ବା ସରକାର ଇତ୍ୟାଦିଙ୍କ ପାଖରେ, ନିଜର କର୍ତ୍ତବ୍ୟ କରି, ଦେୟ ବା ଖଜଣା ଦେଇ ବିଶ୍ଵସ୍ତ ହେଉଛୁତ? ଯଦି ସଂସାରରେ ଆମେ ବିଶ୍ଵସ୍ତ ନୋହୁଁ, ସ୍ଵର୍ଗରେ କିପରି ବିଶ୍ଵସ୍ତ ହେବା।
ଭଦ୍ରତା: ମୁଁ ଭଦ୍ର କି ଅଭଦ୍ର ମୋର ଅନୁଷ୍ଠାନ, ସମାଜ, ମଣ୍ଡଳୀ, ରାଷ୍ଟ୍ର ମୋତେ କହିବ। ଆମେ ଯାହା ବୁଣୁ, ତାହା କାଟୁ। ଆମେ ଯଦି ଅଭଦ୍ର ବ୍ୟବହାର ପାଉଛୁ ତେବେ ଆମେ ନିଜେ ଅଭଦ୍ରାମି ସବୁ କରିନାହୁଁତ? କେବଳ ବେଶ ଭୂଷା, କଥା ବାର୍ତ୍ତା, ଆଚାର ବ୍ୟବହାର ମଣିଷର ଭଦ୍ରତାର ସୁଚାଙ୍କ ନୁହେଁ। ଯଦି ମୋ ବ୍ୟବହାର କାହାକୁ ଦୁଃଖିତ କରୁଛି ତେବେ ମୁଁ କିପ୍ରକାର ଭଦ୍ର ଅଟେ? ମନ୍ଦ ଉକ୍ତି ଓ ବ୍ୟବହାର ଭଦ୍ରତା ନୁହେଁ।
ଆତ୍ମ ସଞ୍ଜମ: ଖାଦ୍ୟ ଖାଇବାରେ, ଭୌତିକ ଦ୍ରବ୍ୟ, ଖାଉଟି ସାମଗ୍ରୀ, ଘର, ଗାଡ଼ି, ପାଠ, ବୃତ୍ତି ଚୟନରେ ଓ ହାସିଲ କରିବାରେ ମୁଁ କେତେ ସଞ୍ଜମ। ମୋର ଚୟନ, ଗ୍ରହଣ ଓ ମାଲିକାନା, ଆବଶ୍ୟକଠୁଁ ଅଧିକ ନୁହେଁ ତ?
ଯୀଶୁଙ୍କୁ ବ୍ୟକ୍ତିଗତ ତ୍ରାଣ କର୍ତ୍ତା ବୋଲି ଯିଏ ଗ୍ରହଣ କରୁଛି ଓ ଅନୁସରଣ କରିବା ପାଇଁ ସ୍ଥିର କରି ନେଇଛି ସେମାନେ ସମସ୍ତେ ଆତ୍ମା ପାଇଛନ୍ତି, ଯେହେତୁ ଯୀଶୁଙ୍କୁ ପାଇବା ଓ ଗ୍ରହଣ କରିବା ଆତ୍ମାଙ୍କ କାର୍ଯ୍ୟ ।
ପେଣ୍ଟିକଷ୍ଟାଲ୍ ପ୍ରଚାରକ ଓ ମଣ୍ଡଳୀରେ ଭାଗ ନେବା ଦ୍ଵାରା ଲାଭ ଏହା ହୋଇ ପାରେଯେ, ସେମାନଙ୍କ ପ୍ରଚାର ଦ୍ଵାରା ଆମେ ଆତ୍ମା ପାଇଛୁ କି ପାଇନାହୁଁ ଏହି ଗଞ୍ଜଣାର ସମ୍ମୁଖୀନ ସଦା ସର୍ବଦା ହୋଇ ପାରିବା। କିନ୍ତୁ ଶୁଣି ଶୁଣି ନିର୍ଲଜ୍ଜ ବି ହୋଇ ପାରୁଁ ଓ ସେପ୍ରକାର ସହଭାଗିତାରେ ଥାଇ ଫଉଜ୍ ଦାରି ମକଦ୍ଦମାରେ ବି ସାମିଲ ହୋଇ ରହି ପାରୁଁ।
ଆଶୁ, ମଣ୍ଡଳୀ ନିର୍ବିଶେଷରେ ୨୪x ୭ ଦିନ ଆତ୍ମାରେ ପରିଚାଳିତ ହୋଇ, ପାପାତ୍ମାକୁ ପ୍ରତିରୋଧ କରିବା ପାଇଁ, ପ୍ରାର୍ଥନା, ଉପବାସ ଓ ଶାସ୍ତ୍ର ଅଧ୍ୟୟନ ରୀତିମତ ଅଭ୍ୟାସ କରି, ଆମେବି ପବିତ୍ର ଆତ୍ମା ପ୍ରାପ୍ତ କହିବା, କିନ୍ତୁ ଲୋକେ କହିଲେ ଭଲ।
ଏପରି ନ ହେଉ ଯେ, ମୁଁ ପ୍ରାର୍ଥାନ କଲେ ଜଣେ ସୁସ୍ଥ ହେଉଛି ସତ, କିନ୍ତୁ ମୋର କଥା ଓ ବ୍ୟବହାରରେ ମୁଁ ଅନ୍ୟକୁ ଅସୁସ୍ଥ କରୁଛି। ମୁଁ ପର ଭାଷା କହୁଛି କିନ୍ତୁ, ମୁଁ ରାଗିଯାଇ ମନ୍ଦ ଭାଷା ବି କହୁଛି, ମୋ ଭାଷା ଓ ଶବ୍ଦରେ ଅନ୍ୟ ମାନେ ବିଦିର୍ଣ୍ଣ ହେଉଛନ୍ତି। ମୁଁ ଭୂତ ଛଡ଼ାଉଛି କିନ୍ତୁ ମୋ ଭିତରେ ଭୋଗ ବିଳାଶ ଓ ବ୍ୟଭିଚାରର ଭୂତ ଚଢ଼ିରହିଛି। ମୁଁ ଆତ୍ମାରେ ଚାଳିତ ବୋଲାଉଛି, କିନ୍ତୁ ସରକାରୀ କାମରେ ଲାଞ୍ଚ ଦେଉଛି, ନେଉଛି ଓ ଆବଶ୍ୟକ ସ୍ଥଳେ ଜାଲିଆତି ଦସ୍ତାବିଜ ତିଆରି କରୁଛି। ପ୍ରଭୁ ଆମକୁ କ୍ଷମା କରନ୍ତୁ।
ଡୁଇଟ୍ ଡେଭିଡ୍ ଫିଲିପ୍
ଓକିଲ
ଭବାନୀପାଟଣା
୯୪୩୭୧୦୪୩୦୩
dwitdavidphilip@gmail.com
edit
No comments:
Post a Comment