ଯୁଦ୍ଧ ନୁହେଁ ପୁଞ୍ଜି ପତ୍ତୀ ମାନଙ୍କର ସାମ୍ରାଜ୍ୟ ବାଦ୍, ବାହାନା ଆତଙ୍କବାଦ, ଧର୍ମ ଓ ସୀମା

ଯୁଦ୍ଧ ନୁହେଁ ପୁଞ୍ଜି ପତ୍ତୀ ମାନଙ୍କର ସାମ୍ରାଜ୍ୟ ବାଦ୍, ବାହାନା ଆତଙ୍କବାଦ, ଧର୍ମ ଓ ସୀମା
-----------
ଧର୍ମର ଭିଡ ଭିତରେ ଯୁଦ୍ଧ। କିନ୍ତୁ ଯୁଦ୍ଧ କେବେବି ଏକ ବିକଳ୍ପ ନୁହେଁ। 'ଯୁଦ୍ଧ ଯୁଦ୍ଧକୁ ଜନ୍ମ ଦିଏ', ଏହା ଏକ ସତ୍ୟ ଓ ପୁରୁଣା ପ୍ରବାଦ। ସାମ୍ରାଜ୍ୟବାଦ ପୃଥିବୀରେ ଇତିହାସ ହୋଇ ରହି ନାହିଁ। ଆଜିବି ରାଷ୍ଟ୍ର, ସମାଜ, ଧର୍ମ ଓ ବ୍ୟକ୍ତି ସାମ୍ରାଜ୍ୟବାଦର କ୍ଷୁଧା ଓ ଜ୍ଵାଳାରେ ଜର୍ଜରିତ। ଗଣତନ୍ତ୍ର ଓ ମାନବ ଅଧିକାରର ଯଥେଷ୍ଟ ଚର୍ଚ୍ଚା ଓ ଆଇନ ଥିଲେ ମଧ୍ୟ ଭୌତିକ ଓ ମାନସୀକ ସାମ୍ରାଜ୍ୟବାଦ ପାଇଁ ରାଷ୍ଟ୍ର, ସମାଜ, ଧର୍ମ ଓ ବ୍ୟକ୍ତି, ସାମ୍ରାଜ୍ୟବାଦ ଭୋକରୁ ନିଜକୁ ପ୍ରତ୍ୟାହାର କରି ପାରୁନାହାନ୍ତି। ପୁଞ୍ଜିବାଦୀ ମନୋବୃତି ସାମ୍ରାଜ୍ୟବାଦକୁ ବହୁଳ ଭାବରେ ପ୍ରାୟୋଜିତ କରୁଛି। କେବଳ ଅନ୍ତର୍ଦେଶୀୟ ଯୁଦ୍ଧ ନୁହେଁ, ବିଶ୍ଵବିଦ୍ୟାଳୟ ଓ ଧର୍ମ ପୀଠ ମାନଙ୍କ ମାଧ୍ୟମରେ ପ୍ରତ୍ୟେକ ରାଷ୍ଟ୍ର, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ଧର୍ମ ଓ ବ୍ୟକ୍ତିମାନେ ସାମ୍ରାଜ୍ୟବାଦ ନୀତିକୁ ଧରି ବଞ୍ଚୁଛନ୍ତି। ସାମ୍ରାଜ୍ୟବାଦର ଶିକାର, ଆମେ ସମସ୍ତେ, କିନ୍ତୁ ଆଦିମ ଜନଜାତି, ଶିଶୁ, ମହିଳା ଓ ବୃଦ୍ଧ ସବୁଠୁ ବେଶୀ ସାମ୍ରାଜ୍ୟବାଦ ମନୋବୃତ୍ତି ଦ୍ଵାରା କ୍ଷତି ଗ୍ରସ୍ତ ହେଉଛନ୍ତି। ପ୍ରକୃତ୍ତୀ ଓ ଭବିଷ୍ୟତ ପିଢ଼ି, ବିତିଗଲା ସମୟକୁ ଦୋଷ ଦେବା ବ୍ୟତୀତ ଆଉ କିଛି କରି ପାରିବେ ନାହିଁ।
ଯୁଦ୍ଧର ଭୟାବହ ରୂପ କହିଲେ ୧୯୧୯ ର ପ୍ରଥମ ବିଶ୍ଵଯୁଦ୍ଧ ଓ ୧୯୪୫ ର ଦ୍ଵିତୀୟ ବିଶ୍ଵ ଯୁଦ୍ଧକୁ ପୃଥିବୀ ବାସି ମନେ ପକାଉଛନ୍ତି ଓ ତୃତୀୟ ବିଶ୍ଵ ଯୁଦ୍ଧକୁ ଏଡ଼ାଇବା ପାଇଁ ନାସ୍ତି କରୁଛନ୍ତି। ପ୍ରଥମ ବିଶ୍ଵଯୁଦ୍ଧ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଯେତେ ଜନ ଜୀବନ ଓ ଧନ ନଷ୍ଟ ହୋଇଛି, ଆକଳନ କଲେ ୧୯୪୫ ଠାରୁ ଆଜିଯାଏଁ ଯେତେ ଦୁଇ ପାକ୍ଷିକ ଯୁଦ୍ଧ ହୋଇଛି, ସେଥିରେ ପ୍ରଥମ ଦୁଇଟି ବିଶ୍ଵ ଯୁଦ୍ଧରୁ ପ୍ରାୟ ପଚାଶ ଗୁଣରୁ ଅଧିକ ଜନ ଜୀବନ ଓ ଧନର କ୍ଷୟ କ୍ଷତି ହୋଇ ସାରିଲାଣି। ପ୍ରଥମ ବିଶ୍ୱଯୁଦ୍ଧ ରେ ୧୭ ମିଲିୟନ ଲୋକ ମରିଥିଲେ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ପ୍ରାୟ ୫୦-୮୦ ମିଲିୟନ ଲୋକ ମରିଥିଲେ। 
ଦୁଇ ଦେଶ, ଦୁଇ ଜାତି, ଦୁଇ ଧର୍ମ, ଦୁଇ ରଙ୍ଗର ଭିତରେ ଘୃଣା ଓ ବିବାଦ କେତେ ଖୋକଲା, ଯୁକ୍ତି ଓ ଅର୍ଥ ବିହୀନ ତାହା ଦୁଇ ଦେଶ, ଦୁଇ ଜାତି, ଦୁଇ ଧର୍ମ, ଦୁଇ ରଙ୍ଗର ଲୋକ ଭିତରେ ରକ୍ତ ଦାନ ଓ ଅଙ୍ଗ ଦାନ ଓ ଗ୍ରହଣରୁ ସ୍ପଷ୍ଟ ହୋଇ ଯାଉଛି। ଯୁଦ୍ଧ, ମଣିଷ ଜଙ୍ଗଲରୁ ସଂଗ୍ରହ କରି ବଞ୍ଚିବା ଦିନଠୁ ଶିଳ୍ପ କେନ୍ଦ୍ର ଦ୍ବାରା ପ୍ରସ୍ତୁତ ପ୍ୟାକେଟ ଖାଦ୍ୟ ଓ ପାଣି କିଣି ବା ଯାଏଁ ଚାଲି ରହିଛି ଓ ଚାଲୁ ରହିବ ଯେତେଦିନ ଯାଏଁ ପୃଥିବୀରେ ଖାଉଟି ବାଦ୍ ରହିଥିବ। ମନସ୍ତାତ୍ତ୍ୱିକ ମାଶ୍ଲୋଙ୍କ ମଣିଷର ନିଡ ବା ମୌଳିକ ଆବଶ୍ୟକତା ସିଦ୍ଧାନ୍ତରେ ଦର୍ଶା ଯାଇଥିବା ଚାରୋଟି ଆବଶ୍ୟକତାରୁ ମଣିଷ ବାହାରି ପଞ୍ଚମ ଆବଶ୍ୟକତା: ଆତ୍ମ ସଚେତନତାରେ ପହଞ୍ଚି ପାରୁନାହିଁ। (୧:ଶରୀର ସମନ୍ଧୀୟ ବା physiological, ୨:ସୁରକ୍ଷା ବା safety, ୩:ପ୍ରେମ ଓ ମୋର ଭାବନା ବା love and belonging, ୪:ସମ୍ମାନ ବା esteem and ୫: ଆତ୍ମ ସଚେତନତା ବା self- actualization).
ବର୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ଓରଫ ହାମାଶ ଯୁଦ୍ଧରେ କେବଳ ଦୁଇଦେଶର ଭୌତିକ ଭୂମି ଅଧିଗ୍ରହଣ ପାଇଁ ଯୁଦ୍ଧ ଏହା ପୃଥିବୀ ବାସୀଙ୍କ ଆଖିରେ ଦିଶୁଛି କିନ୍ତୁ, ଏହାର ଆଢ଼ୁଆଳରେ ପ୍ରତ୍ୟେକ ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥିଯେ ଲୁଚି ରହିଛି ତାହା ସର୍ବ ସାଧାରଣରେ ଆଲୋଚନା ହୋଇ ପାରୁନାହିଁ। 
ଯୁଦ୍ଧକୁ ଦେଖି ଅନେକ ପ୍ରଶ୍ନ ଉଠୁଛି ଯେପରି, ଭାରତ ଆଗରୁ ପାଲେଷ୍ଟାଇନକୁ ସମର୍ଥନ କରୁଥିଲା ଆଜି କାହିଁକି କରୁନାହିଁ? ଇସ୍ରାଏଲକୁ ଆମେରିକା, କାନାଡା ଓ ୟୁରୋପର ଅଧିକାଂଶ ଦେଶ କାହିଁକି ଧନ ଓ ଉପକରଣ ଦେଇ ସମର୍ଥନ କରୁଛନ୍ତି? ଏହି ଯୁଦ୍ଧ ତୃତୀୟ ମହା ଯୁଦ୍ଧକୁ କାହିଁକି ମୁହାଇବ? ଋଷିଆ ଓ ଚିନ୍ କାହିଁକି ପାଲେଷ୍ଟାଇନ କୁ ସମର୍ଥନ କରିବେ? ଇସ୍ରାଏଲ୍ କାହିଁକି ୧୯୪୮ ରେ ଯାଇ ରାଷ୍ଟ୍ରର ମାନ୍ୟତା ପାଇଲା? ଇସ୍ରାଏଲ ଓ ପାଲେଷ୍ଟାଇନର ଯୁଦ୍ଧକୁ ତିନୋଟି ଧର୍ମର ଧର୍ମଯୁଦ୍ଧ ବୋଲି କାହିଁକି କୁହାଯାଉଛି? କାହାକୁ ଯିରୁଶାଲମ୍ ମନ୍ଦିର ମିଳିବା ଉଚିତ୍? ମୁସଲମାନ ମାନେ ବା ହାମାଶ କାହିଁକି ଯିରୁସାଲେମ୍ ଓ ଇସ୍ରାଏଲ ଦେଶକୁ ଅଧିକାର କରିବାକୁ ଚାହାନ୍ତି? ଏସବୁ ପ୍ରଶ୍ନ କେବଳ ଶିଶୁ ମାନେ ନୁହନ୍ତି, ରାଜନୀତି ଓ ଆଇନ ପାଠ ପଢ଼ି ବି ଅନେକେ ପ୍ରଶ୍ନ କରୁଛନ୍ତି। ଏହି ସ୍ତମ୍ବ ଲେଖାରେ ଏହି ଗୁରୁତର ପ୍ରଶ୍ନର ଗୁଡ଼ିକର ଉତ୍ତର ଦେବାର ଚେଷ୍ଟା କରାଯାଇଛି। 
ପ୍ରଥମେ ବୁଝିବାକୁ ହେବ ତିନୋଟି ଧର୍ମର ଆବିର୍ଭାବର ସମୟ, ସ୍ଥାନ ଓ ପ୍ରଣେତାଙ୍କ ନାମ। ଯିହୁଦୀ ଧର୍ମର ମୁଖ୍ୟ ସ୍ରୋତ ବା ନବି, ଅବ୍ରହାମ। ଅବ୍ରହାମଙ୍କ ବଂଶଧର, ମୋଷା, ପରେ ଯିହୁଦୀ ମାନଙ୍କର ରାଜା ଦାଉଦ ଓ ତାଙ୍କ ପୁତ୍ର ଜ୍ଞାନୀ ସଲୋମନ୍। ଦାଉଦଙ୍କ ବଂଶରେ ଯୀଶୁଖ୍ରୀଷ୍ଟ, ଖ୍ରୀଷ୍ଟ ଧର୍ମର ମୂଳ, ଯିରୁସାଲେମରୁ ପ୍ରାୟ ୯.୫ କି.ମି ଦୂର ବେଥେଲିହିମରେ ୨୦୨୩ ବର୍ଷ ପୂର୍ବେ ଯିହୁଦୀ ପରିବାରରେ ଜନ୍ମ ହୋଇ ଥିଲେ। ଯୀଶୁ ଯିରୁଶାଲେମ୍ ମନ୍ଦିରରେ ବାର ବାର ଶିକ୍ଷା ଦେଇଥିଲେ। ଯିରୁଶାଲେମ୍ ମନ୍ଦିର ପ୍ରଥମେ ରାଜା ସଲୋମନଙ୍କ ଦ୍ଵାରା ଖ୍ରୀଷ୍ଟ ପୂର୍ବ ଦଶମ ଶତାବ୍ଦୀରେ ଭବ୍ୟ ଆକୃତ୍ତିରେ ତିଆରି ହୋଇ ଥିଲା। ଏହି ମନ୍ଦିର ବାବିଲୋନ, ବର୍ତ୍ତମାନର ଇରାକ ଅଞ୍ଚଳର ସାମ୍ରାଜ୍ୟବାଦ୍ ନୀତି ଯୋଗୁଁ ଖ୍ରୀଷ୍ଟ ପୂର୍ବ ୫୮୭ ଶତାବ୍ଦୀରେ ଭାଙ୍ଗି ପଡ଼ିଥିଲା। ତା'ପରେ ଯିହୁଦୀ ମାନଙ୍କ ନେତୃତ୍ୱ ଓ ପାରସ୍ୟ, ବର୍ତ୍ତମାନର ଇରାନ ଅଞ୍ଚଳର ତତ୍ୱାବଧାନ ଓ ଧନରେ, ଖ୍ରୀଷ୍ଟ ପୂର୍ବ ୯୫୭ ବର୍ଷରେ ପୁନଃ ନିର୍ମାଣ ହୋଇ ଥିଲା। ଏହି ମନ୍ଦିର ଦ୍ଵିତିୟ ଥର ରୋମ ସମ୍ରାଟଙ୍କ ଅଧିକାର ସମୟରେ ରୋମୀୟ ସନ୍ୟମାନଙ୍କ ଦ୍ଵାରା ୭୦ ଖ୍ରୀଷ୍ଟାବ୍ଦରେ ଭାଙ୍ଗି ଦିଆ ଯାଇଥିଲା। ସେ ଯାଏଁ ଏହା କେବଳ ଯିହୁଦୀ ମାନଙ୍କର ଧର୍ମ ପୀଠ ଥିଲା।
ମହମ୍ମଦ ମୁସଲମାନ ଧର୍ମର ମୂଳ, ଖ୍ରୀଷ୍ଟଙ୍କ ଜନ୍ମ ଓ ମୃତ୍ୟୁର ପ୍ରାୟ ୫୭୦ ଖ୍ରୀଷ୍ଟାବ୍ଦ ପରେ ସାଉଦି ଆରବର ମକ୍କା ସହରରେ ଜନ୍ମ ଗହଣ କରିଥିଲେ ଓ ଯିରୁଶାଲମକୁ ମଧ୍ୟ ଯାଇ ପ୍ରଚାର କରିଥିଲେ ବୋଲି ବିଶ୍ୱାସ କରାଯାଏ।
ସାମ୍ରାଜ୍ୟ ବାଦ୍: ଧନ, ଜ୍ଞାନ, ପଣ, ସମୃଦ୍ଧି ଆଣିବାରେ ଓ ବିସ୍ତାର କରିବାରେ ସାହାଯ୍ୟ କରେ। ଇତିହାସରେ ସବୁଠୁ ବଡ଼ ସାମ୍ରାଜ୍ୟ ବାଦି ହେଉଛନ୍ତି ଗ୍ରୀକ୍, ରୋମୀୟ, ବାବିଲୋନିୟ, ପାରସ୍ୟ ଓ ଇଂରେଜ ମାନେ। ଜ୍ଞାନ, ଧନ ଓ ଟେକ୍ନୋଲୋଜି, ସାମ୍ରାଜ୍ୟ ବାଦ୍ ବୃଦ୍ଧିରେ ଯଥେଷ୍ଟ ସହାୟକ ହୋଇ ଥାଏ। ବାରୁଦ ଓ ବନ୍ଧୁକ ଏବଂ ପରେ ଆଣବିକ ଶକ୍ତି ଯୁଦ୍ଧକୁ ଗୁଣାତ୍ମକ ଓ ଭୟାବହ କରୁଛି। ଏବେ ପୁଞ୍ଜିବାଦୀ ମାନେ ପ୍ରତ୍ୟେକ ଦେଶରେ ଏହାର ପ୍ରାୟୋଜକ ଓ ପ୍ରଭାବକ।
ଦ୍ଵିତୀୟ ଥର ଇସ୍ରାଏଲଦେଶକୁ, ୭୦ ଶତାବ୍ଦୀରେ ଆକ୍ରମଣ ଓ ମନ୍ଦିର ଭାଙ୍ଗି ଦେଲା ଉତ୍ତାରେ, ଯିହୁଦୀ ମାନେ ସାରା ପୃଥିବୀରେ ଛିନ ଛତ୍ର ହୋଇ ବିଛାଇ ହୋଇ ଗଲେ। ଯିହୁଦୀ ମାନେ ଯେଉଁ ଦେଶ ମାନଙ୍କରେ ବ୍ୟବସାୟ କରୁଥିଲେ ସେହି ଦେଶ ମାନଙ୍କୁ ଚାଲିଗଲେ। ବହୁ ପୂର୍ବରୁ ଯିରୁଶାଲେମ୍ ପ୍ରଥମେ ଯିହୁଦୀ, ଦ୍ଵିତୀୟରେ ଖ୍ରୀଷ୍ଟିଆନ ମାନଙ୍କର ଧର୍ମର ଓ ବ୍ୟବସାୟର କେନ୍ଦ୍ର ବିନ୍ଦୁ ଥିଲା। ଏହା ଭୌଗୋଳିକ ଦୃଷ୍ଟିରୁ ୟୁରୋପ, ଏସିଆ ଓ ଆଫ୍ରିକାର ମିଳନ କେନ୍ଦ୍ର। ଏହି ସ୍ଥାନରେ ସବୁ ମହାଦେଶର ଲୋକଙ୍କୁ ଦେଖିବାକୁ ମିଳେ। ଧର୍ମକୁ ବ୍ୟବହାର କରି ରୋମ ରାଜା ମାନେ, ପରେ ଆରବ ଦେଶର ରାଜା ମାନେ ଓ ପରେ ୟୁରୋପୀୟ ରାଜାମାନେ ସାମ୍ରାଜ୍ୟ ବିସ୍ତାର ନୀତିରେ, ରାଜ୍ୟ ବିସ୍ତାର କରି ଚାଲିଲେ। ଧର୍ମରୁ ପ୍ରେମ, କ୍ଷମା, ତ୍ୟାଗ ଇତ୍ୟାଦି ଭାବ ସାମ୍ରାଜ୍ୟବାଦ୍ ହରଣ କରି ନେଇଗଲା ମନେ ହୁଏ।
ପୃଥିବୀରେ ଯିହୁଦୀ ମାନେ ସ୍ୱଳ୍ପ ସଂଖ୍ୟକ ହେଲେ ସୁଦ୍ଧା, ଶିଳ୍ପ ପତି ଓ ନୋବେଲ ପୁରସ୍କୃତ ବିଜ୍ଞାନୀ। ଉଇକିପିଡ଼ିଆ ଲେଖେ, "1901 ରୁ 2023 ମଧ୍ୟରେ ନୋବେଲ ପୁରସ୍କାର ଏବଂ ବିଜ୍ଞାନରେ ନୋବେଲ ମେମୋରିଆଲ ପୁରସ୍କାର ପ୍ରାପ୍ତ 965 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅତି କମରେ 214 ଜଣ ଯିହୁଦୀ କିମ୍ବା ଅତି କମରେ ଜଣେ ଯିହୁଦୀ ପିତାମାତା ଥିବା ବ୍ୟକ୍ତି ଅଟନ୍ତି, ଯାହାକି ସମସ୍ତ ପ୍ରାପ୍ତକର୍ତ୍ତାଙ୍କ 22% ପ୍ରତିନିଧିତ୍ୱ କରିଥାଏ।" ଆଜି ସବୁ ଧର୍ମରେ ଶିଳ୍ପ ପତି ଓ ପରମାଣୁ କ୍ଷମତାପୁର୍ଣ୍ଣ ଜ୍ଞାନ କୌଶଳ ରହିଛି। ସାମ୍ରାଜ୍ୟ ବାଦ୍ ଚାହେଁ ଯେକୌଣସି ଉପାୟରେବି ନିଜର ପ୍ରତିପତ୍ତି ବିସ୍ତାର କରିବା। ମିତ୍ର ଗୋଷ୍ଠୀ ହୋଇ କିମ୍ବା, ଧନ ଓ ଜ୍ଞାନର ବ୍ୟବସାୟ କରି ହେଉ, କିମ୍ବା ବ୍ୟବସାୟ ସନ୍ଧି ସ୍ଥାପନ କରି ନିଜର ପ୍ରତିପତ୍ତି ବିସ୍ତାର କରିବା ଚେଷ୍ଟା ଜାରି ରଖିଛନ୍ତି। ସାମ୍ରାଜ୍ୟ ବାଦ୍ ପିପାସା ସବୁ ଦେଶର ପୁଞ୍ଜିପତ୍ତିଙ୍କ ଇଚ୍ଛା। ଏହି ପୁଞ୍ଜିପତ୍ତି ମାନେ ଦେଶ ଓ ବିଦେଶର ରାଜନୀତି ଓ ଯୁଦ୍ଧକୁ ପ୍ରଭାବିତ କରୁଛନ୍ତି। ଇସ୍ରାଏଲ ଓ ପାଲେଷ୍ଟାଇନ ଓରଫ ହାମାସର ଯୁଦ୍ଧ, ସାମ୍ରାଜ୍ୟବାଦର ଯୁଦ୍ଧ ମନେହୁଏ। ଏହି ଚକ୍ରଭ୍ୟୁରୁ କୌଣସି ଦେଶ ଆଉ ନିରପେକ୍ଷ ହୋଇ ରହି ପାରୁନାହାନ୍ତି। ଧର୍ମ, ଭୌଗୋଳିକ ସୀମା ଓ କ୍ଷମତା, ଆଢ଼ୁଆଳରେ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦ୍ ଏକ ନୀତି, ଯାହାକି ଠିଆ କରାଉଛି ସବୁ ସଭ୍ୟ ଓ ବିକଶିତ ରାଷ୍ଟ୍ରକୁ ଏକସ୍ୱରରେ କହିବା ପାଇଁ, "ଯୁଦ୍ଧ ଏକ ଆବଶ୍ୟକୀୟ ଅମଙ୍ଗଳ"/ ୱାର ଇଜ୍ ଏ ନେସେସେରି ଏଭିଲ୍।
ଡୁଇଟ ଡେଭିଡ ଫିଲିପ୍
ଆଇନ ଜୀବୀ ଓ ସମାଜ ସେବୀ
କଳାହାଣ୍ଡି, ୭୬୬୦୦୧
୯୪୩୭୧୦୪୩୦୩
୨୪ ଅକ୍ଟୋବର ୨୦୨୩
www.pensofdavid.com

edit

No comments:

Post a Comment

Contact Here

Name

Email *

Message *